ଦିଲ୍ଲୀ ହିଂସା ଘଟଣାରେ ୨୦ ଚାଷୀଙ୍କୁ ନୋଟିସ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ଆଳରେ ବ୍ୟାପକ ହିଂସା ଭିଆଇଥିବା ଲୋକଙ୍କୁ ଚିହ୍ନଟ ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ସେପଟେ ଟ୍ରାକ୍ଟର ରାଲି ବେଳେ ସର୍ତ୍ତ ଖିଲାପ ଅଭିଯୋଗରେ ଦିଲ୍ଲୀ ପୋଲିସ ପକ୍ଷରୁ ୨୦ଜଣ ଚାଷୀ ନେତାଙ୍କୁ ନୋଟିସ ଜାରି କରାଯାଇଛି । ତିନି ଦିନ ମଧ୍ୟରେ ଉତ୍ତର ରଖିବାକୁ ସେମାନଙ୍କୁ କୁହାଯାଇଛି ।

ଦିଲ୍ଲୀରେ ହିଂସାକାଣ୍ଡ ଘଟଣାରେ ଏଯାଏଁ ୧୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୫୦ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଭିଡିଓ ଫୁଟେଜରୁ ଯେଉଁମାନେ ବି ଚିହ୍ନଟ ହେବେ ଏବଂ ହିଂସାକାଣ୍ଡ ପଛରେ ଯେଉଁ ଚାଷୀନେତାଙ୍କ ସଂପୃକ୍ତି ଜଣାପଡ଼ିବ ସେମାନଙ୍କୁ ଛଡାଯିବନି ବୋଲି ଦିଲ୍ଲୀ ପୋଲିସ କମିଶନର ଏସ.ଏନ. ଶ୍ରୀବାସ୍ତବ କହିଛନ୍ତି।

ସେପଟେ ଐତିହାସିକ ଲାଲକିଲ୍ଲାରେ ହିଂସା ଭିଆଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବାର କାଉନସିଲ ଅଫ୍ ଇଣ୍ଡିଆ। ଲାଲକିଲ୍ଲା ଓ ଜାତୀୟ ପତାକା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ସେଗୁଡିକର ଅବମାନନା ଅକ୍ଷମଣୀୟ । ଲାଲକିଲ୍ଲାରେ ହିଂସା ଭିଆଇଥିବା ଓ ସେମାନଙ୍କୁ ଉସକାଇଥିବା ରାଜନୈତିକ ଦଳ ଗୁଡିକୁ ଚିହ୍ନଟ କରି ଦଣ୍ଡବିଧାନ କରିବା ପାଇଁ ବାର କାଉନସିଲ ଅଫ୍ ଇଣ୍ଡିଆ ଦାବି କରିଛି ।

ଅନ୍ୟପକ୍ଷେ ଜାନୁଆରୀ ୨୬ରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ନାଁରେ ହୋଇଥିବା ହିଂସାରେ ଆହତ ହୋଇଥିବା ପୋଲିସ କର୍ମଚାରୀ ମାନଙ୍କୁ ଭେଟିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ଦିଲ୍ଲୀ ସିଭିଲ ଲାଇନସ୍ଥିତ ଶୁଶ୍ରୁତ ଟ୍ରମା ସେଣ୍ଟର ଯାଇ ସେ ଆହତ ପୋଲିସମାନଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏଥି ସହିତ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ଚାଷୀଙ୍କ ହିଂସାକାଣ୍ଡରେ ପ୍ରାୟ ୩୦୦ ଜଣ ପୋଲିସ କର୍ମୀ ଆହତ ହୋଇ ଚିକିତ୍ସାଧିନ ଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆହତ ପୋଲିସ କର୍ମୀଙ୍କୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

You might also like