ଜଣେ କିନ୍ନରଙ୍କୁ ହତ୍ୟା ପାଇଁ ୫୫ ଲକ୍ଷର ସୁପାରୀ ! ଦିଲ୍ଲୀ ପୋଲିସ କଲା ଖୁଲାସା…

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା। ଦୁଇ ଜଣ କଣ୍ଟ୍ରାକ୍ଟ କିଲରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ପୂର୍ବରୁ ପୋଲିସ ଏହି ହତ୍ୟାକାରୀଙ୍କ ମୁଣ୍ଡରେ ପୁରସ୍କାର ରାଶି ମଧ୍ୟ ରଖିଥିଲା। ଜଣଙ୍କ ପାଇଁ ୧ ଲକ୍ଷ ଏବଂ ଆଉ ଜଣଙ୍କ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଜଣେ କିନ୍ନରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଏମାନଙ୍କୁ ଖୋଜୁଥିଲା। ଦୁଇ ଅଭିଯୁକ୍ତ ହେଲେ ଗଗନ ପଣ୍ଡିତ ଏବଂ ବରୁଣ ପଣ୍ଡିତ ବୋଲି ଜଣାପଡ଼ିଛି।

ଦିଲ୍ଲୀ ଜିଟିବି ଏନକ୍ଲେଭରେ ଜଣେ କିନ୍ନରଙ୍କୁ ୫ ସେପ୍ଟେମ୍ବର ୨୦୨୦ରେ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ ୭ ଜଣ ସମ୍ପୃକ୍ତ ରହିଛନ୍ତି। ଏହାର ମାଷ୍ଟର ମାଇଣ୍ତ ଥିଲା ଗଗନ ପଣ୍ଡିତ। ଏନେଇ ପଚରାଉଚରା ବେଳେ ଗଗନ ନିଜେ ପୋଲିସ ନିକଟରେ ସ୍ୱୀକାର କରିଛି। ଖାଲି ସେତିକି ନୁହେଁ ଏହି ହତ୍ୟାକାଣ୍ଡ ଭିଆଇବା ପାଇଁ ଗଗନ ୫୫ ଲକ୍ଷ ଟଙ୍କାର  ସୁପାରୀ ନେଇଥିବା ମଧ୍ୟ ସ୍ୱୀକାର କରିଛି। ପଚରାଉଚରା ବେଳେ ଗଗନଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିଲ୍ଲୀର ଜିଟିବି ଏନକ୍ଲେଭ ଅଞ୍ଚଳର ଜଣେ କିନ୍ନର ମଞ୍ଜୁର ଇଳାହୀ ତାଙ୍କୁ ନିକଟକୁ ଆସିଥିଲେ ଏବଂ ସେହି ଏନକ୍ଲେଭରେ ରହୁଥିବା ଏକତା ଯୋଶୀ ନାମକ ଜଣେ କିନ୍ନର ଏବଂ ତାଙ୍କ ସାବତ ମା’ ଅନୀତା ଯୋଶୀଙ୍କୁ ହତ୍ୟା କରିବା ପାଇଁ ୫୫ ଲକ୍ଷ ଟଙ୍କା ଦେଇଥିଲେ।

ଘଟଣାର ତଦନ୍ତ ପରେ ଜଣା ପଡ଼ିଛି ଯେ ଏହି ହତ୍ୟାକାଣ୍ଡ ପଛରେ କେବଳ ଟଙ୍କା କଲେକ୍ସନ ଓ ପତିଆରା ଦେଖାଇବା ହେଉଛି ମୂଳ କାରଣ। ଦୁଇ ଗୋଷ୍ଠୀ କିନ୍ନରଙ୍କ ମଧ୍ୟରେ କେବଳ ପତିଆରା ଜାହିରକୁ ନେଇ ଅନେକ ସମୟରେ ବଚସା ହୋଇଥିଲା। ଗୋଟିଏ ଅଞ୍ଚଳରେ ଟଙ୍କା କଲେକ୍ସନକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଦୁଇ କିନ୍ନରଙ୍କୁ ହତ୍ୟା କରିବା ପାଇଁ ଏଭଳି ଯୋଜନା କରିଥିଲେ।

Ekta joshi Kinner
Ekta joshi Kinner

ସ୍ପେଶାଲ ସେଲର ଡିସିପି ପ୍ରମୋଦ କୁଶୱାଙ୍କ ଅନୁଯାୟୀ, ୫ ସେପ୍ଟେମ୍ବର ୨୦୨୦ରେ ଏକତା ଯୋଶୀ ନାମକ ଜଣେ କିନ୍ନରଙ୍କୁ ଦୁଇ ଜଣ ସ୍କୁଟି ଆରୋହୀ ଗୁଳି କରି ହତ୍ୟା କରିଥିଲେ। ସେହି ଦୁଇ ଜଣ ହେଉଛନ୍ତି ଆମିର ଓ ଗଗନ। ଗଗନ ଏକତାଙ୍କ ଉପରକୁ ୬ଟି ଗୁଳି ମାରିଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। 

ପୋଲିସର କହିବାନୁଯାୟୀ, ସୋନମ ଏବଂ ବର୍ଷା ନାମକ ଦୁଇ ଜଣ କିନ୍ନର ଫରିଦାବାଦର ଏକ କିନ୍ନର ଟିମର ମୁଖିଆ ସାଜିଥିବା ବେଳେ GTB ଏନକ୍ଲେଭରେ ମଞ୍ଜୁର ଇଲାହି ଏବଂ କମଳ ମୁଖିଆ। ଏହି ଚାରିଜଣ କିନ୍ନରଙ୍କ ସହ ଏକତା ଯୋଶୀ ଏବଂ ଅନୀତା ଯୋଶୀଙ୍କର ଦିଲ୍ଲୀ ଯମୁନାପାର ଇଲାକାରେ ପଇସା କଲେକ୍ସନକୁ ନେଇ ବାରମ୍ବାର ବଚସା ହୋଇଥିଲା। ଯାହା କି ପର ମୂହୁର୍ତ୍ତରେ ଭୟଙ୍କର ଶତ୍ରୁତାରେ ପରିଣତ ହେଲା। ତେଣୁ ଏହି ୪ ଜଣ କିନ୍ନର ମିଶି ଏକତା ଏବଂ ଅନୀତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କଲେ। ଏହାପରେ ସେମାନେ କଣ୍ଟ୍ରାକ୍ଟ କିଲର ଗଗନ ପଣ୍ଡିତ ସହ ଯୋଗାଯୋଗ କରିଥିଲେ।

ଗଗନ ଓ ବରୁଣ ପରି ଦୁଇ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିବାରେ ଇନ୍ସପେକ୍ଟର ଶିବ କୁମାର ଓ କର୍ମବୀରଙ୍କ ଟିମର ମୁଖ୍ୟ ଭୁମିକା ରହିଛି। ଗଗନ ଦିଲ୍ଲୀ ପାଶ୍ଚିମ ବିହାରର ବାସିନ୍ଦା। ତେବେ ଏହି ଦୁଇ ଜଣଙ୍କୁ ପୋଲିସ ସେତେବେଳେ ଗିରଫ କଲା ଯେତେବେଳେ ସେମାନେ ଏକ ସ୍କର୍ପିଓରେ ଅନ୍ୟ ଏକ ଅପରାଧ କାଣ୍ଡ ଭିଆଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଯାଉଥିଲେ। ପୋଲିସ ସେମାନଙ୍କ ନିଟକରୁ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଗଗନ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଡକାୟତି ଭଳି ଅନେକ ମାମଲା ଦିଲ୍ଲୀ ଓ ୟୁପି ଥାନରେ ରହିଛି।

You might also like