ରେସଲର୍ ସୁଶୀଲ କୁମାରଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପୂର୍ବତନ ଜୁନିଅର୍‌ ନ୍ୟାସ୍‌ନାଲ୍‌ ଚାମ୍ପିଅନ୍‌ ସାଗର ରାଣା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ସୁଶୀଲଙ୍କୁ ଏବେ ପୋଲିସ୍‌ ଖୋଜୁଛି। ସେ ଫେରାର ଥିବା ଜଣାପଡ଼ିଛି। ଯଦି କେହି ତାଙ୍କ ସମ୍ପର୍କରେ ସୂଚନା ଦିଅନ୍ତି, ତା’ହେଲେ ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ ବୋଲି ଦିଲ୍ଲୀ ପୋଲିସ୍‌ ଘୋଷଣା କରିଛି। ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅଜୟ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଛି।

୨୩ ବର୍ଷୀୟ ସାଗର ରାଣା ହତ୍ୟା ମାମଲାରେ ପୂର୍ବରୁ ଦିଲ୍ଲୀ କୋର୍ଟ ସୁଶୀଲ କୁମାରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଜାମିନ୍‌ ବିହୀନ ୱାରେଣ୍ଟ୍‌ ଜାରି କରିଥିଲେ।

ସୂଚନାଥାଉ କି, ଉତ୍ତର ପଶ୍ଚିମ ଦିଲ୍ଲୀ ସ୍ଥିତ ଛତ୍ରସାଲ୍‌ ଷ୍ଟାଡିୟମର ପାର୍କିଂ ଏରିଆରେ ସାଗର ରାଣାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସୁଶୀଲ କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ଅନୁସାରେ, ଘଟଣା ଦିନ ସୁଶୀଲ କୁମାର ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ପୋଲିସ୍‌ର କହିବା ଅନୁଯାୟୀ, ଛତ୍ରସାଲ୍‌ ଷ୍ଟାଡିୟମର ପାର୍କିଂ ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ ଓ ଅନ୍ୟମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ମାର୍‌ପିଟ୍‌ ହୋଇଥିଲା। ଘଟଣାସ୍ଥଳରେ ଥିବା ୫ଟି ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଏକ ସ୍କର୍ପିଓରୁ ଗୋଟିଏ ବନ୍ଧୁକ ଓ ୫ଟି ଲାଇଭ୍‌ cartridges ଜବତ କରାଯାଇଥିଲା। ଏହାସହ ଘଟଣାସ୍ଥଳରୁ ୨ କାଠର ଷ୍ଟିକ୍‌ ମଧ୍ୟ ମିଳିଥିଲା।

ଅନ୍ୟପକ୍ଷରେ, ଘଟଣାକୁ ନେଇ ସୁଶୀଲ କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ଲୁକ୍‌ ଆଉଟ୍‌ ସର୍କୁଲାର୍‌ ମଧ୍ୟ ଜାରି ହୋଇଥିଲା। ତେବେ ଲୁକ୍‌ ଆଉଟ୍‌ ସର୍କୁଲାର୍‌ ଜାରି ହେବାପରେ ସୁଶୀଲ କୁମାର ଫେରାର ଥିବା ଜଣାପଡ଼ିଛି।

You might also like