୭୦ ବର୍ଷ ପରେ ବଦଳିଲା ରାଜଧାନୀ ଦିଲ୍ଲୀର ପାଣିପାଗ

ନୂଆଦିଲ୍ଲୀ: ସାଇକ୍ଲୋନ ତାଉତେ ତାଣ୍ଡବ ସୃଷ୍ଟି କରିବା ପରେ ଏବେ ଦୁର୍ବଳ ହୋଇଯାଇଛି । ହେଲେ ଏହାର ପ୍ରଭାବ ଉତ୍ତର ଭାରତରେ ଦେଖିବାକୁ ମିଳିଛି। ଦିଲ୍ଲୀ-ଏନସିଆରରେ ମଙ୍ଗଳବାର ପାଗ ପୂରା କୋହଲା ରହିଛି। ବୁଧବାର ସକାଳୁ  ଝିପିଝିପି ବର୍ଷା ବି ଜାରି ରହିଛି। କୁହାଯାଉଛି, ୭୦ ବର୍ଷ ପରେ ଦିଲ୍ଲୀରେ ଏପରି ପାଗ ଦେଖିବାକୁ ମିଳିଛି। ବୁଧବାର ସକାଳୁ ଲାଗି ରହିଥିବା ବର୍ଷା ୭୦ ବର୍ଷର ରେକର୍ଡ ଭାଙ୍ଗିଛି। ୧୯୭୬ ମେ’ ମାସରେ ଏପରି ବର୍ଷା ହୋଇଥିଲା।  ଲଗାତାର ବର୍ଷା ଯୋଗୁ ସହରର ଅନେକ ସ୍ଥାନରେ ପାଣି ଜମି ରହିଛି।

ବର୍ଷା ଯୋଗୁ ସହରରେ ଏବେ ତାପମାତ୍ରା ହ୍ରାସ ପାଇ ୨୩.୮ ରେ ପହଞ୍ଚିଛି। ୧୯୫୧ ମସିହା ପରେ ପ୍ରଥମ ଥର ପାଇଁ ମେ’ ମାସରେ ଏତେ କମ୍‌ ତାପାମାତ୍ରା ଏଠାରେ ଦେଖିବାକୁ ମିଳିଛି। ଆଜି ମଧ୍ୟ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଉଛି। ବର୍ଷା ଲାଗି ରହିଲେ ତାପମାତ୍ରା ଆହୁରି ହ୍ରାସ ପାଇବ । ଦିଲ୍ଲୀର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ,  ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଆଜି ବି ବର୍ଷା ସମ୍ଭାବନା ରହିଛି। ଏଥି ସହିତ ପାନିପତ, ଗନ୍ନୁର, ମୁଜଫରନଗର, ନଜୀବାବାଦ୍‌, ବିଜନୌର, ଚାନ୍ଦପୁର, ହସ୍ତିନାପୁର, ସକୋଟି, ଟାଣ୍ଡା, ମେରଠ, ମୋଦିନଗର, ହାପୁଡ ଏବଂ ଅନୁପସହରରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।

ଆରବ ସାଗରରେ ବାତ୍ୟା ଦୁର୍ବଳ ହେବା ପରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ ।

ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଏହି ବାତ୍ୟା କେଉଁଠି ଓ କେବେ ଲ୍ୟାଣ୍ଡଫଲ୍ କରିବ ? ତାର ତୀବ୍ରତା କେତେ ହେବ ? ତାହା ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି କହିଛନ୍ତି ।

You might also like