ମହାରାଷ୍ଟ୍ର, ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା: ଦିନକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

  • ମହାରାଷ୍ଟ୍ରରେ ୬୮ ହଜାର ଓ ଦିଲ୍ଲୀରେ ୨୫ ହଜାର ପାର କଲା ପଜିଟିଭ୍ ସଂଖ୍ୟା
  • ସେପଟେ ସ୍ଥିତି ବିଗିଡ଼ିବାରୁ ଛତିଶଗଡ଼ରେ ସଟଡାଉନ୍ ଅବଧି ୨୭ ଯାଏ ବୃଦ୍ଧି

ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି କରୋନା । ଦିନକରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ ରାଜ୍ୟରେ ଲମ୍ବା ଡିଆ ମାରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୮ ହଜାର ୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୫୦୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଗତକାଲି ଦିଲ୍ଲୀରେ ୨୫ ହଜାର ୪୬୨ ନୂଆ କେସ୍  ଚିହ୍ନଟ ହୋଇଛନ୍ତି । କେବଳ ଦିଲ୍ଲୀରେ ୧୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହି ଦୁଇ ରାଜ୍ୟରେ ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ସର୍ବାଧିକ । ୨୦୧୯ରୁ ଆଜି ଯାଏଁ ଏତେ ସଂଖ୍ୟାରେ ଆକ୍ରାନ୍ତ ଦିନକରେ କେବି ବି ଚିହ୍ନଟ ହୋଇନଥିଲେ । ବଢ଼ୁଥିବା ଆକ୍ରାନ୍ତଙ୍କ ମଧ୍ୟରେ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ୍ ନିଅଣ୍ଟ ମୁଖ୍ୟ ସମସ୍ୟା ପାଲଟିଛନ୍ତି । ଗତକାଲି ଉଭୟ ରାଜ୍ୟ ସରକାର କେନ୍ଦ୍ର ପାଖରେ ଅଧିକରୁ ଅଧିକ ଅକ୍ସିଜେନ୍ ସିଲିଣ୍ଡର ଓ ରେମଡେସିଭିର୍ ଔଷଧ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି ।

ସେହିପରି ଛତିଶଗଡ଼ରେ ବି ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପ୍ରତିଦିନ ପଜିଟିଭଙ୍କ ସଂଖ୍ୟା ବଢ଼ିବା ପରେ ଏବେ ଅଧିକ କଡ଼ାକଡ଼ି ହୋଇଛି କଟକଣା । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଗତକାଲି ସ୍ଥିତିର ସମୀକ୍ଷା କରିଥିଲେ । ରାଏଗଡ଼ ଜିଲ୍ଲାରେ ସଟଡାଉନ୍ ଅବଧିକୁ ୨୭ ତାରିଖ ଯାଏ ବୃଦ୍ଧି କରାଯାଇଛି । ଛତିଶଗଡ଼ର ୧୦ଟି ଅଧିକ ପ୍ରଭାବିତ ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲର ୭୦ ପ୍ରତିଶତ ବେଡରେ ଅକ୍ସିଜେନ୍ ବ୍ୟବସ୍ଥା କରିବା ସହ ଆକ୍ରାନ୍ତଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇବାକୁ ପ୍ରସ୍ତୁତି ଚଲାଇଛନ୍ତି ସରକାର ।

ଅନ୍ୟପଟେ କରୋନା ଲଢ଼େଇରେ ଭାରତୀୟ ରେଲେଓ୍ୱର ପୁଣି ଏକ ଯୋଗଦାନ ଦେଖିବାକୁ ମିଳିଛି ।  ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଉଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ ଗଡ଼ିବ ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ । ଏହି ଟ୍ରେନ୍ ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର୍ ଓ ଅକ୍ସିଜେନ୍ ସିଲିଣ୍ଡରକୁ ଦେଶର ବିଭିନ୍ନ ସ୍ଥାନକୁ ବୋହିନେବ । ଟ୍ରେନ୍ ଗୁଡ଼ିକ ଯେପରି ଅବାଧ ଚଳାଚଳ କରିପାରିବ ଏବଂ ଯଥାଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବ ସେଥିପାଇଁ ଗ୍ରୀନ୍ କରିଡର୍ ସୃଷ୍ଟି କରାଯାଇଛି  । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ।

You might also like