ଦିଲ୍ଲୀ: ସ୍ତ୍ରୀର ଦାୟିତ୍ୱ ନେବା ସ୍ୱାମୀର କର୍ତ୍ତବ୍ୟ । ସ୍ତ୍ରୀର ଖର୍ଚ୍ଚ ଉଠାଇବା ସହ ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇବା ସ୍ୱାମୀର ଦାୟିତ୍ୱ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । କେବଳ ଏତିକି ନୁହେଁ ପତ୍ନୀର ଭରଣପୋଷଣ ଏବଂ ପିଲାମାନଙ୍କର ଯତ୍ନ ନେବା ଦାୟିତ୍ୱରୁ ସ୍ୱାମୀ ଓହରି ପାରିବେ ନାହିଁ ବୋଲି ଶୁଣାଣି ହୋଇଛି । ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ତଳ ଅଦାଲତର ଏପରି ନିର୍ଦ୍ଦେଶନାମାକୁ କାଏମ ରଖିଛନ୍ତି । ଜଣେ ବ୍ୟକ୍ତି ତାଙ୍କଠାରୁ ଅଲଗା ରହୁଥିବା ପତ୍ନୀଙ୍କୁ ମାସକୁ ୧୭,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଉ ଏ ସମ୍ମନ୍ଧରେ ଶୁଣାଣି କରି କୋର୍ଟରେ ରାୟ କାଏମ୍ ରଖିଛନ୍ତି ଜଷ୍ଟିସ୍ ।

ଜଷ୍ଟିସ୍ କହିଛନ୍ତି, ବ୍ୟକ୍ତି ଜଣକ ନିଜର ପ୍ରତିକୂଳ ପରିସ୍ଥିତି କିମ୍ବା କୌଣସି ସମସ୍ୟା ସମ୍ପର୍କରେ କୋର୍ଟରେ ପ୍ରମାଣ ରଖିବାରେ ବିଫଳ ହୋଇଛନ୍ତି । ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିବା ବ୍ୟକ୍ତି ପେଷାରେ ଜଣେ ଆସିଷ୍ଟାଣ୍ଡ୍ ଇନସପେକ୍ଟର ଏବଂ ମାସିକ ମୋଟା ଅଙ୍କର ଦରମା ମଧ୍ୟ ପାଆନ୍ତି । ଅନ୍ୟପଟେ ଅଭିଯୋଗକାରିଣୀ ସ୍ତ୍ରୀ ସ୍ୱଳ୍ପ ରୋଜଗାର କରୁଥିବା ସହ ତାଙ୍କର ଆୟର କୌଣସି ସ୍ଥାୟୀ ସ୍ରୋତ ନାହିଁ ।  ପୋଲିସ ଅଧିକାରୀ ଜଣକ ତାଙ୍କ ସ୍ତ୍ରୀଙ୍କ ଠାରୁ ଭିନ୍ନ ହୋଇ ସାରିଥିବା ବେଳେ ସ୍ତ୍ରୀ ନିଜର ଭରଣପୋଷଣ ପାଇଁ ସକ୍ଷମ ନୁହଁନ୍ତି ଏବଂ ତାଙ୍କର  ସମସ୍ତ ଦାୟିତ୍ୱ ନେବା ସ୍ୱାମୀର କର୍ତ୍ତବ୍ୟ ବୋଲି କୋର୍ଟ କହିଛନ୍ତି ।

୧୯୮୫ରେ ଉଭୟଙ୍କର ବିବାହ ହୋଇଥିଲା । ଏବଂ ବିବାହ ପରେ ଉଭୟଙ୍କର ଦୁଇ ପୁଅ ଓ ଗୋଟିଏ ହୋଇଥିଲେ ।  ତେବେ ୨୦୧୦ରେ ଜଣେ ଝିଅ ପ୍ରାଣ ହରାଇଥିବା ବେଳେ ଦୁଇ ପୁଅ ଏବେ ପ୍ରାପ୍ତ ବୟସ୍କ ଏବଂ ଭଲ ରୋଜଗାର କରୁଛନ୍ତି । ତେବେ କୌଣସି କାରଣବଶତଃ ୨୦୧୨ରେ ଉଭୟେ ଭିନ୍ନ ହୋଇଥି ଯାଇଥିଲେ । ଏହି ଦମ୍ପତି ଏବେ ଅଲଗା ଅଲଗା ରହୁଛନ୍ତି । ମହିଳା ଜଣକ ଅଭିଯୋଗ କରିଛନ୍ତି ସ୍ୱାମୀ ତାଙ୍କୁ ନିର୍ଯାତନା ଦେବା ସହ ତାଙ୍କୁ ଘରୁ ବାହାର କରି ଦେଇଥିଲେ । କାମ କରୁଥିଲେ ସୁଦ୍ଧା ଏବେ ସେ ନିଜର ଖର୍ଚ୍ଚ ବହନ କରିବାକୁ ଅସମର୍ଥ ଏବଂ ସ୍ୱାମୀଙ୍କ ଠାରୁ ଭରଣପୋଷଣ  ଆବଶ୍ୟକ କରୁଛନ୍ତି । ତେବେ ବ୍ୟକ୍ତି ଜଣକ ଭଲ ଆୟ କରୁଥିଲେ ସୁଦ୍ଧା ଭରଣପୋଷଣ ଦେବାକୁ ରାଜି ନୁହଁନ୍ତି ବୋଲି ମହିଳା ଅଭିଯୋଗ କରିଛନ୍ତି । ମହିଳା ନିଜର ଭରଣ ପୋଷଣରେ ଅକ୍ଷମ ଥିବାରୁ, ସ୍ୱାମୀଙ୍କ ଠାରୁ ଭରଣପୋଷଣ ଆଶା କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅନ୍ୟପଟେ ନିର୍ଯାତନା କଥାକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ବ୍ୟକ୍ତି । ପିଲାଙ୍କ ସମସ୍ତ ଖର୍ଚ୍ଚ ତୁଲାଇବା ସହ ତାଙ୍କ ପାଠ ପଢ଼ାର ସମସ୍ତ ଦାୟିତ୍ୱ ନେଇଥିବା କଥା ସେ ପ୍ରକାଶ କରିଛନ୍ତି । ତେବେ ସ୍ତ୍ରୀ ଜଣକ କାମ କରୁଥିବା ବେଳେ ଭଲ ଆୟ କରନ୍ତି ବୋଲି ସେ ଯୁକ୍ତି ବାଢ଼ିଛନ୍ତି । ଟିଭି ଧାରାବାହିକରେ କାମ କରିବା ସହ ସେ ନିଜ ଖର୍ଚ୍ଚ ଉଠାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ସକ୍ଷମ  ବୋଲି କୋର୍ଟରେ କହିଛନ୍ତି । ତେବେ କୋର୍ଟ ଏ ସମ୍ପର୍କରେ ରାୟ ଶୁଣାଇ କହିଛନ୍ତି, ସଂପୃକ୍ତ ବ୍ୟକ୍ତି ଜଣକ ପତ୍ରିକା ଓ କିଛି ଖବରକାଗଜ ଟୁକୁଡ଼ା ଦାଖଲ କରିଥିଲେ ସୁଦ୍ଧା ତାଙ୍କ ପାଖରେ ସେପରି କିଛି ପ୍ରମାଣ ନାହିଁ । ମହିଳା ନିଜର ଦାୟିତ୍ୱ ନେବା ପାଇଁ ସକ୍ଷମ ବୋଲି ଏଥିରୁ ପ୍ରମାଣିତ ହୋଇପାରୁ ନାହିଁ । ଏଥିପାଇଁ ସ୍ତ୍ରୀଙ୍କୁ ମାସିକ ୧୭୦୦୦ ପ୍ରଦାନ କରିବେ ବ୍ୟକ୍ତି ।

Other Stories