ନିର୍ଭୟା ଦୋଷୀଙ୍କ ଆବେଦନ ଖାରଜ୍‌ କଲେ କୋର୍ଟ: ସକାଳେ ଫାଶୀ ସୁନିଶ୍ଚିତ

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୫.୩୦ରେ ‘ନିର୍ଭୟା ଦୋଷୀ’ ଫାଶୀ ପାଇବା ନିଶ୍ଚିତ ହୋଇସାରିଛି। ଏହାର କିଛି ଘଣ୍ଟା ପୂର୍ବରୁ ହିଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୋଷୀଙ୍କ ଓକିଲ। ଫାଶୀ ଅଟକାଇବା ପାଇଁ ଦିଲ୍ଲୀର ପଟିଆଲା ହାଇକୋର୍ଟ ମନା କରିଦେବା ପରେ ଦୋଷୀଙ୍କ ଓକିଲ ଏପି ସିଂହ ନିଜ ପକ୍ଷଙ୍କୁ ବଞ୍ଚାଇବାକୁ ଶେଷ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଏହି ଆବେଦନରେ କୌଣସି ଗୁରୁତ୍ୱ ଏବଂ ପ୍ରାସଙ୍ଗିତା ନଥିବା ଦର୍ଶାଇ କୋର୍ଟ ଏହି ଆବେଦନ ଖାରଜ କରିଛନ୍ତି। ଏଥିସହିତ ସକାଳ ୫.୩୦ରେ ଫାଶୀ ହେବା ନିଶ୍ଚିତ ହୋଇଛି।

ନିର୍ଭୟା ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହେବା ପରେ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ରାତିରେ ଶୁଣାଣି ଚାଲିଥିଲା।

କୋର୍ଟର ଶୁଣାଣି ସମୟରେ ଦୋଷୀଙ୍କ ଓକିଲ କହିଥିଲେ ଯେ ଦୋଷୀଙ୍କ ଅନେକ ଆଇନଗତ ବିକଳ୍ପ ବାକି ରହିଛି। ଏପରିକି ଏନଏଚଆରସି ନିକଟରେ ଗୋଟିଏ ପିଟିସନ ଶୁଣାଣି  ବାକି ରହିଛି। ଏହା ଶୁଣି ବିଚାରପତି କହିଥିଲେ, କେବଳ ଆଇନ ଅନୁସାରେ କୁହନ୍ତୁ। ଆମେ ରାତି ପର୍ଯ୍ୟନ୍ତ ତୁମ କଥା ଶୁଣିବା ପାଇଁ ରହିଛୁ।

ବିନା ଆଫିଡେବିଟ୍ ଓ ମେମୋରେ ଏହି ଡକ୍ୟୁମେଣ୍ଟ କାହିଁକି ଦେଇଛ ବୋଲି କୋର୍ଟ ଦୋଷୀଙ୍କ ଓକିଲଙ୍କୁ ପଚାରିଥିଲେ। ତେବେ କରୋନା ଭାଇରସ ଯୋଗୁ କୌଣସି ମେସିନ କାମ କରୁନଥିବା ନେଇ କୋର୍ଟଙ୍କୁ ଜଣାଇଥିଲେ ଏପି ସିଂହ।

ଏକଥା ଶୁଣି ହାଇକୋର୍ଟ କହିଥିଲେ, ”ତୁମେ ଗତ ଅଢ଼େଇ ବର୍ଷରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ କଣ କରୁଥିଲ? ତୁମେ କେବଳ ଆମ ବଦନାମ କରୁଛ?  ରାତି ୧୦.୪୫ ହୋଇସାରିଛି, ଫାଶୀ ସମୟ ଭୋର ୫.୩୦. ସେଥିପାଇଁ ଆମକୁ ଉପଯୁକ୍ତ ପଏଣ୍ଟ ଉପରେ ଆଲୋଚନା କର।”

ଏଥିସହିତ କୋର୍ଟ ଏପି ସିଂହଙ୍କୁ କହିଥିଲେ, ଆପଣଙ୍କ କ୍ଲାଇଣ୍ଟଙ୍କର ଭଗବାନଙ୍କୁ ଦର୍ଶନ କରିବା ସମୟ ହେଇଗଲାଣି। ଆମେ ବର୍ତ୍ତମାନ ସେହି ସମୟରେ ଉପନୀତ ହେଇଛେ। ତେଣୁ ସମୟ ନଷ୍ଟ କରନ୍ତୁନି। ରାତି ୧୧ଟା ହେଲାଣି, ଯଦି ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନ ଉଠାନ୍ତି ତେବେ ଆମେ ଆପଣଙ୍କୁ କୌଣସି ସାହାଯ୍ୟ କରିପାରିବୁ ନାହିଁ ବୋଲି ଦିଲ୍ଲୀ କୋର୍ଟ କହିଛନ୍ତି।  ଆପଣଙ୍କ ପାଖରେ କେବଳ ୪-୫ ଘଣ୍ଟା ସମୟ ଅଛି, ଯଦି ଆପଣଙ୍କ ପାଖରେ କୌଣସି ପ୍ରସଙ୍ଗ ଅଛି ତେବେ ତୁରନ୍ତ ଏହା ଉପସ୍ଥାପନ କରନ୍ତୁ।

କୋର୍ଟ  ଆହୁରି ମଧ୍ୟ କହିଥିଲେ ଯେ, ଏହା ୪ର୍ଥ ଡେଥ୍ ୱାରେଣ୍ଟ ଓ ସେମାନଙ୍କୁ ବାକି ସମୟ ଶାନ୍ତିରେ ରହିବାକୁ ଦିଅ।

ଓକିଲ ଏପି ସିଂହ କହିଥିଲେ ଯେ ତରତର ହୋଇ ନ୍ୟାୟ ଦେବା ତାହା ନ୍ୟାୟ ହୋଇନଥାଏ। ତେବେ ଗୋଟିଏ ମାତ୍ର ଆଇନଗତ ତର୍କ କହିପାରିନଥିବା ନେଇ କୋର୍ଟ  ଓକିଲ ଏପି ସଂହଙ୍କୁ କହିଥିଲେ।

 

You might also like