ବର୍ଷା ହେଲାନି, ହନୁମାନଙ୍କ ଉପରେ ରାଗ ଶୁଝାଇଲେ ଯୁବକ

ମନ୍ଦିରରେ ପଶି ଦେବାଦେବୀଙ୍କ ମୂର୍ତ୍ତି ଭାଙ୍ଗିଲେ ମହେଶ

ଦ୍ୱାରିକା : ବର୍ଷା ନେହେବାରୁ ସଙ୍କଟମୋଚନ ହନୁମାନଙ୍କ ଉପରେ ରାଗ ଶୁଝାଇଲେ ଯୁବକ । ଖରାରେ ଜନଜୀବନ ସନ୍ତୁଳି ହେଉଥିବା ବେଳେ ଦିଲ୍ଲୀର ଦ୍ୱାରିକା ଜିଲ୍ଲାର କକରୋଲା ଗାଁରେ ନବରାତ୍ରିର ପ୍ରଥମ ଦିନରେ ଏକ ମନ୍ଦିରରେ ହନୁମାନଙ୍କ ସମେତ ଅନେକ ଦେବାଦେବୀଙ୍କ ମୂର୍ତ୍ତି ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି । ମହେଶ ନାକମ ଯୁବକ ଏପରି କରିଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଜଣାପଡ଼ିବା ପରେ ବଜରଙ୍ଗ ଦଳ ସମେତ ଅନେକ ହିନ୍ଦୁ ସଂଗଠନ ବିରୋଧ ପ୍ରଦର୍ଶନ କରି ଦ୍ୱାରିକା ରାସ୍ତାକୁ ଜାମ କରିଦେଇଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରି ଅଟକ ରଖିଛି ।

ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ବେଳେ ଗ୍ରୀଷ୍ମ ବି ଦାଉ ସାଧୁଛି । ଲୋକେ ମାସ୍କ ପିନ୍ଧିବେ ନା ଏସି ହାୱା ଖାଇବେ ଜାଣିପାରୁନାହାନ୍ତି । ଗୋଟିଏ ପଟେ ସଂକ୍ରମଣ ଭୟ ଅନ୍ୟପଟେ ଗରମ ଗୁଳୁଗୁଳି ଘରେ ଶାନ୍ତିରେ ଗୋଟିଏ ମିନିଟ ବସି ହେଉନି। ଏପରିସ୍ଥଳେ ବର୍ଷା ନେହେବାରୁ ହନୁମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଦିଲ୍ଲୀରେ ରହୁଥିବା ୪୫ ବର୍ଷୀୟ ବ୍ୟକ୍ତି ମହେଶ ମନ୍ଦିର ଭିତରେ ପଶି ମୁର୍ତ୍ତି ଭାଙ୍ଗିଦେଇଛନ୍ତି । ସେ ପେଶାରେ ଜଣେ ମୋଚ୍ଚି । ଭଗବାନଙ୍କୁ ବାରମ୍ବାର କହିବା ପରେ ବି ଭଗବାନ ଶୁଣୁନଥିବା କହି ସେ ଏପରି କାଣ୍ଡ ଘଟାଇଛନ୍ତି । ହନୁମାନ ମନ୍ଦିରର ପୂଜାରୀ ମଙ୍ଗଳବାର ସକାଳେ ମନ୍ଦିର ଦ୍ୱାର ଖୋଲିବା ପରେ ଭଗବାନ ହନୁମାନଙ୍କ ଭଙ୍ଗା ମୂର୍ତ୍ତି ପଡ଼ିଥିବାର ଦେଖିଥିଲେ । ଆଉ ତୁରନ୍ତ ଏ ସମ୍ପର୍କରେ ପୋଲିସକୁ ଖବର କରିଥିଲେ । ଦିଲ୍ଳୀ ପୁଲିସ୍‌ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ମହେଶ କେଶର ରଙ୍ଗର ପୋଷାକ ପିନ୍ଧି ହାତରେ କୁରାଢ଼ୀ ଧରି ରାଗ ତମ ତମ ହୋଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଆଉ ତା’ପରେ ମନ୍ଦିରରେ ଥିବା ହନୁମାନ ମୂର୍ତ୍ତି ଓ ଅନ୍ୟାନ୍ୟ ମୂର୍ତ୍ତି ଭାଙ୍ଗୁଛନ୍ତି । ତେବେ ଏନେଇ ଦ୍ୱାରକା ଡିସିପି ସନ୍ତୋଷ କୁମାର ମୀନା କହିଛନ୍ତି, ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ସୋମବାର ରାତିରେ ଏହି ଘଟଣା ଘଟିଛି ।

ମହେଶ କେବଳ ଯେ ମୂର୍ତ୍ତିଗୁଡ଼ିକୁ ନଷ୍ଟ କରିଛନ୍ତି ତା’ ନୁହେଁ ବରଂ ଭଗବାନଙ୍କ ଅନେକ ଆସବାବପତ୍ର ସହ ମନ୍ଦିର ଭିତରେ ଥିବା ଗଛକୁ ମଧ୍ୟ କୁରାଢ଼ୀରେ କାଟିଦେଇଛନ୍ତି । ତେବେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରିବା ପରେ ସେ ଏପରି କାଣ୍ଡ ଘଟାଇଥିବା ସ୍ୱୀକାର କରିଛି । ତାପମାତ୍ରା ବୃଦ୍ଧି ଓ ବର୍ଷା ନହେବା କାରଣରୁ ଭଗବାନଙ୍କୁ ଦଣ୍ଡ ଦେଇଥିବା କହିଛନ୍ତି । ଅନ୍ୟପଟେ ସେ ନିଜକୁ ଦେବତା କହୁଥିବା ସୂଚନା ମିଳିଛି ।

You might also like