ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଦିଲ୍ଲୀ ସରକାର । ଏହି କ୍ରମରେ ୫ ହଜାର ଯୁବକ/ଯୁବତୀଙ୍କୁ ସ୍ୱାସ୍ଥ୍ୟ ସହାୟକା ଭାବେ ପ୍ରଶିକ୍ଷଣ ଦେବେ ବୋଲି ସ୍ଥିର କରିଛନ୍ତି ସରକାର । ଆଗକୁ ଦେଶରେ କରୋନାର ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ମୁକାବିଲା ନେଇ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର । କରୋନା ଚିକିତ୍ସାରେ ଦିଲ୍ଲୀରେ ସ୍ୱାସ୍ଥ୍ୟକର୍ମୀ ଏବଂ ପାରାମେଡିକାଲ ଷ୍ଟାଫ୍‌ଙ୍କ ଅଭାବ ରହିଥିବାରୁ ୫ ହଜାର ଯୁବକ/ଯୁବତୀଙ୍କୁ ସ୍ୱାସ୍ଥ୍ୟ ସହାୟକ ଭାବେ ଟ୍ରେନିଂ ଦେବାକୁ ସ୍ଥିର କରିଛନ୍ତି ସରକାର ।

ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମସ୍ତ ଯୁବକ/ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଦୁଇ ସପ୍ତାହ ଧରି ସେମାନଙ୍କୁ ସ୍ୱାସ୍ଥ୍ୟ ସହାୟକର ଟ୍ରେନିଂ ଦିଆଯିବ । କରୋନା ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ ନର୍ସଙ୍କୁ ସହାୟତା କରିବେ ଏହି ସ୍ୱାସ୍ଥ୍ୟ ସହାୟକ । ଜୁନ ୧୭ ତାରିଖରୁ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା । ଆସନ୍ତା ଜୁନ ୨୮ ତାରିଖରେ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ । ପ୍ରତି ବ୍ୟାଚ୍‌ରେ ୫ଶହ ଯୁବକ/ଯୁବତୀଙ୍କୁ ନେଇ ପ୍ରଶିକ୍ଷଣ ଦିଆଯିବ । ଏଥିଲାଗି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପାସ ଏବଂ ୧୮ ବର୍ଷରୁ ଅଧିକ ବୟସ ହୋଇଥିବା ଆବଶ୍ୟକ ।

ସେପଟେ କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀଙ୍କ ଲାଗି କ୍ରାସ୍ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୮ ତାରିଖ ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

୨୬ ରାଜ୍ୟର ୧୧୧ଟି କେନ୍ଦ୍ରରେ କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀ ଏହି କାଯର୍ୟକ୍ରମରେ ଯୋଡ଼ି ହେବେ । ଏହା ମାଧ୍ୟମରେ ଦେଶରେ ୧ ଲକ୍ଷରୁ ଅଧିକ କୋଭିଡ୍ ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି ଲାଗି ଯୋଜନା ରହିଛି । ଏଥିରେ ସମ୍ମୁଖ କର୍ମୀଙ୍କ ଲାଗି ୬ ପ୍ରକାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯୋଜନା କରାଯାଇଛି । ଏଥିଲାଗି ମୋଟ ୨୭୬ କୋଟି ବ୍ୟୟବରାଦ ହୋଇଛି । ଏହା ମାଧ୍ୟମରେ ମେଡିକାଲ ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଦକ୍ଷତା ବୃଦ୍ଧି କରାଯାଇ ସେମାନଙ୍କୁ କୋଭିଡ୍ ଚିକିତ୍ସାରେ ନିୟୋଜିତ କରାଯାଇପାରିବ ।

Other Stories