ଦିଲ୍ଲୀରେ ଦୟନୀୟ ହେଲାଣି ସ୍ଥିତି ! ମେଡିକାଲରେ ସ୍ଥାନ ନାହିଁ, ପଡ଼ିଆରେ ଖୋଲିଲାଣି ଅସ୍ଥାୟୀ ଶିବିର.. ପଢ଼ନ୍ତୁ..

ନୂଆଦିଲ୍ଲୀ: ଦିଲ୍ଲୀରେ ଦୟନୀୟ ହେଲାଣି ସ୍ଥିତି। କରୋନା ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିବାରେ ଲାଗିଛି ଯେ, ମେଡିକାଲରେ ରୋଗୀଙ୍କ ପାଇଁ ଆଉ ସ୍ଥାନ ନାହିଁ। ସରକାରୀ ମେଡିକାଲ ତ ଦୂରର କଥା ଘରୋଇ ମେଡିକାଲରେ ବି ରୋଗୀଙ୍କ ପାଇଁ ଆଉ ସ୍ଥାନ ନାହିଁ। ଏମିତିକି ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିସାରିଛନ୍ତି ଯେ, ଦିଲ୍ଲୀରେ ଅକ୍ସିଜେନର ଘୋର ଅଭାବ ରହିଛି, ହସ୍ପିଟାଲରେ ବେଡ ନଥିବା ମଧ୍ୟ କେଜ୍ରିୱାଲ ସ୍ୱୀକାର କରିଛନ୍ତି। ଏହା ପରେ ମେଡିକାଲ ଗୁଡ଼ିକରେ ଭେଣ୍ଟିଲେଟର ଅଭାବ ମଧ୍ୟ ରହିଛି। ତେଣୁ କେଜ୍ରିୱାଲ ଦେଶର ସବୁ ରାଜ୍ୟମାନଙ୍କୁ ଅକ୍ସିଜେନ ଦେବା ପାଇଁ ଅନୁରୋଧ କରିଥିଲେ।

ତେବେ ଦିଲ୍ଲୀରେ ଏଭଳି ଦୟନୀୟ ଅବସ୍ଥା ରହିଥିବା ବେଳେ, ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏବେ ଅସ୍ଥାୟୀ ମେଡିକାଲ ସେଣ୍ଟର ଖୋଲାଯାଉଛି। ହସ୍ପିଟାଲରେ ବେଡ ନଥିବାରୁ ଏବେ ରାମଲୀଲା ମଇଦାନରେ ଅସ୍ଥାୟୀ ମେଡିକାଲ ଖୋଲାଯାଉଛି। ସାଧାରଣ ମେଡିକାଲ ଭଳି ଏଠାରେ ରୋଗୀଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଦିଲ୍ଲୀ ସରକାର।

ଗୁରୁତର କରୋନା ରୋଗୀଙ୍କୁ ଏଠାରେ ଅକ୍ସିଜେନ, ଭେଣ୍ଟିଲେଟର ଓ ବେଡ ମଧ୍ୟ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଉଛି। ତେବେ କେବଳ ରାମଲୀଲା ମଇଦାନ ନୁହେଁ, ଏହିଭଳି ବିଭିନ୍ନ ସ୍ଥାନରେ କେଜ୍ରିୱାଲ ସରକାର ଅସ୍ଥାୟୀ ମେଡିକାଲ ଖୋଲିଛନ୍ତି।

ମଙ୍ଗଳବାର ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହି ସବୁ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ସବୁ ଅସ୍ଥାୟୀ ହସ୍ପିଟାଲ ପରିସରରେ ୧୨ ଶହ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କ ଚିକିତ୍ସା ପାଇଁ ଏଠି ସମସ୍ତ ମେଡିକାଲ୍ ସୁବିଧା ଯୋଗାଇ ଦିଆଯିବ।

ସେପଟେ ପୂର୍ବରୁ ଦିଲ୍ଲୀ ହାଇକୋଟ ମଧ୍ୟ କରୋନା ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। କୋର୍ଟ ସିଧା ସଳଖ କେନ୍ଦ୍ର ସରକାରଙ୍କୁ ଅକ୍ସିଜେନ ଅଭାବ ନେଇ ଜବାବ ମାଗିଥିଲେ। ଏହା ସହ ନିର୍ଦ୍ଦେଶ ଦେଇଥିଲେ ଯେ, କେନ୍ଦ୍ର ସରକାର ଯାହା ବି କରୁଛନ୍ତି କରନ୍ତୁ, କିନ୍ତୁ ଯେମିତି ହେଲେ ବି ଅକ୍ସିଜେନ ଆଣି ମେଡିକାଲ ଗୁଡ଼ିକୁ ଯୋଗାନ୍ତୁ। ଖାଲି ସେତିକି ନୁହେଁ ଦିଲ୍ଲୀକୁ ଯାଉଥିବା ଅକ୍ସିଜେନ ବୋଝେଇ ଗାଡ଼ିକୁ ରାସ୍ତାରେ ଅଟକା ଯାଇଥିବା ଶୁଣି ଦିଲ୍ଲୀ ହାଇକୋର୍ଟ ଅଧିକ ଉଦବେଗ ପ୍ରକାଶ କରିଥିଲେ। ଏହା ସହ ସିଧା ସିଧା କହିଥିଲେ ଯେ, ଯଦି ଅକ୍ସିଜେନ ଗାଡ଼ିକୁ ରାସ୍ତାରେ କେହି ଅଟକାଇବେ ତେବେ ସେ ତାଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦେବେ।

ଦିଲ୍ଲୀ ହାଇକୋର୍ଟଙ୍କ ଏଭଳି ଚେତାବନୀ ସମସ୍ତଙ୍କୁ ଚକିତ କରିଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଢ଼େର ଚର୍ଚ୍ଚା ହୋଇଥିଲା। କେବେଳ ଦିଲ୍ଲୀ ହାଇକୋର୍ଟ ନୁହେଁ ଏଭଳି ପ୍ରାୟ ୬ଟି ରାଜ୍ୟର ହାଇକୋର୍ଟ କରୋନା ସ୍ଥିତି ନେଇ ଉଦବେଗ ପ୍ରକାଶ କରିସାରିଛନ୍ତି।

You might also like