ବଢ଼ୁଛି କରୋନା ସଂକ୍ରମଣ: ଦିଲ୍ଲୀରେ ମେ’ ୩ ଯାଏ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଲକ୍‌ଡାଉନ୍‌ ଅବଧିକୁ ଆଉ ସପ୍ତାହେ ପାଇଁ ବଢ଼ାଇ ଦିଆଯାଇଛି। ମେ’ ୩ ତାରିଖ ସକାଳ ୫ଟା ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଘୋଷଣା ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏଥିରେ ବ୍ରେକ୍‌ ଲଗାଇବା ଲାଗି ଏପ୍ରିଲ ୨୬ ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଘୋଷଣା କରିଥିଲେ। ଏହି ଲକ୍‌ଡାଉନ୍‌ କଟକଣା ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ଥିବାବେଳେ ଆଜି ଲକ୍‌ଡାଉନ୍‌ ଅବଧିକୁ ସପ୍ତାହେ ପାଇଁ ବୃଦ୍ଧି କରାଯାଇଛି। ମେ’ ୩ ତାରିଖ ସକାଳ ୫ଟା ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଘୋଷଣା ହୋଇଛି। ଏହି ସମୟରେ କେବଳ ଜରୁରୀ ସେବାକୁ ଅନୁମତି ମିଳିବ।

କରୋନା ଆକ୍ରାନ୍ତଙ୍କ ପ୍ରତିଶତ ଦିଲ୍ଲୀରେ ଦେଶର ୩୭ ପ୍ରତିଶତ ରହିଛି। ଯାହା ବେଶ୍‌ ଚିନ୍ତାଜନକ ବୋଲି ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ତେଣୁ ଏଦିଗକୁ ଧ୍ୟାନରେ ରଖି ଲକ୍‌ଡାଉନ୍‌ କଡ଼ାକଡ଼ି କରାଯିବ। ଆବଶ୍ୟକ ହେଉଥିବା ଅକ୍ସିଜେନ୍ ଏବଂ ବେଡ୍ ସମସ୍ୟାକୁ ସୁଧାରିବାକୁ ଚେଷ୍ଟା କରାଯାଉଛି। ଅକ୍ସିଜେନ୍ ଷ୍ଟାଟସ୍‌କୁ ପ୍ରତି ୨ ଘଣ୍ଟାରେ ମନିଟର୍ କରାଯାଉଛି। କେନ୍ଦ୍ରକୁ ଅଧିକରୁ ଅଧିକ ଅକ୍ସିଜେନ୍ ଦିଲ୍ଲୀକୁ ଦେବାକୁ କେଜ୍ରିୱାଲ୍‌ ନିବେଦନ କରିଛନ୍ତି।

ଅକ୍ସିଜେନ୍, ବେଡ୍ ସମସ୍ୟାକୁ ନେଇ ଦିଲ୍ଲୀରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଯାଏ ଦିଲ୍ଲୀରେ ମୋଟ୍ ୧୦ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩ ହଜାର ୮୯୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲ୍‌ରେ ବେଡ୍‌ ଓ ଅକ୍ସିଜେନର ଅଭାବରୁ ଲୋକଙ୍କ ମୃତ୍ୟୁ ଘଟୁଥିବା ସାମ୍ନାକୁ ଆସିଛି। ଦିଲ୍ଲୀର ଜୟପୁର ଗୋଲ୍‌ଡେନ୍‌ ହସ୍ପିଟାଲ୍‌ରେ ୨୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମୃତ୍ୟୁ ଅକ୍ସିଜେନ୍ ଅଭାବରୁ ହୋଇଥିବା କୁହାଯାଉଛି।

ଦେଶରେ ବେକାବୁ ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ୬୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨,୭୬୭ ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୨ ହଜାର ୩୧୧କୁ ବୃଦ୍ଧି ପାଇଛି। ଆକ୍ଟିଭ୍‌ କେସ୍‌- ୨୬,୮୨,୭୫୧ ଥିବାବେଳେ ୧,୪୦,୮୫,୧୧୦ ଜଣ ସୁସ୍ଥ ହୋଇ ସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତବର୍ଷ ମାର୍ଚ୍ଚ ୨୨ରୁ ମେ’ ୧୮ ପର୍ଯ୍ୟନ୍ତ ଦିଲ୍ଲୀକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଥିଲା।

You might also like