ଅକ୍ସିଜେନ୍‌ ମିଳୁନାହିଁ: ଡାକ୍ତର କହିଲେ, ଜାଣି ହେଉନାହିଁ ଦେଶ ଚଳାଉଛି କିଏ?

ଆଖି ଆଗରେ ଚାଲିଯାଉଛି ଜୀବନ

ନୂଆଦିଲ୍ଲୀ: ଭୟଙ୍କର ହେବାରେ ଲାଗିଛି କରୋନା। ଆଉ ଏହାରି ମଧ୍ୟରେ ଦେଶର ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି। ଅନେକ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ କାରଣରୁ ଅନେକ ଲୋକଙ୍କର ଜୀବନ ବି ଯାଉଛି। ଶନିବାର ଦିଲ୍ଲୀର ଏକ ମେଡିକାଲରେ ଅକ୍ସିଜେନ୍‌ ଅଭାବରୁ ୧୨ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗତକାଲି  କର୍ଣ୍ଣାଟକର ଏକ ମେଡିକାଲରେ ଅକ୍ସିଜେନ୍‌ ଅଭାବରୁ ପାଖାପାଖି ୨୪ ରୋଗୀଙ୍କ ଜୀବନ ଯାଇଛି। ଆଉ ଏହାରି ମଧ୍ୟରେ ଦିଲ୍ଲୀର ବାତ୍ରା ମେଡିକାଲର ଡାଇରେକ୍ଟର ଯାହା କହିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି।

ସେ କହିଛନ୍ତି ଯେ, ମୁଁ ଅନେକ ଦିନ ହେଲାଣି କାମ କରୁଛି କିନ୍ତୁ ଅକ୍ସିଜେନ୍‌ ଅଭାବ ଲାଗି ଏତେ ମାତ୍ରାରେ ରୋଗୀ ମୃତ୍ୟୁମୁଖରେ ପଡ଼ୁଥିବା କେବେ ଦେଖିନଥିଲି। କରୋନାରେ ସଂକ୍ରମିତ ହେଉଥିବା ରୋଗୀଙ୍କୁ  ବଂଚାଇବାକୁ ହେଲେ ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଅକ୍ସିଜେନ୍‌ ସହ ଆବଶ୍ୟକୀୟ ଟିକା ରହିବା ନିହାତି ଦରକାର। କିନ୍ତୁ ଦୁଃଖର ସହ କହିବାକୁ ପଡୁଛି ଯେ, ଦେଶରେ ଏ ସବୁର ଅଭାବ ଦେଖଯାଉଛି। ଗୋଟିଏ ପଟେ ସରକାର କହୁଛନ୍ତି ଆମ ଦେଶରେ ଅକ୍ସିଜେନ୍‌ର ଅଭାବ ନାହିଁ ହେଲେ ବି ରୋଗୀମାନେ ଅକ୍ସିଜେନ୍‌ ନପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି।

ଆମେ ନିଜେ ମଧ୍ୟ ଜାଣିପାରୁନାହିଁ କି ଦେଶ ବର୍ତ୍ତମାନ ସମୟରେ କିଏ ଚଳାଉଛି? ବିଗତ ୧୪ ମାସ ହେଲାଣି କଣ କରୁଥିଲା ସରକାର? ବର୍ତ୍ତମାନ ସମୟରେ ସ୍ଥିତି ସାଙ୍ଘାତିକ ହେଲାଣି। କେବଳ ବଡ଼ ବଡ଼ ମେଡିକାଲରେ କେବେ କେବେ ଅକ୍ସିଜେନ୍‌ ମିଳୁଛି କିନ୍ତୁ ସବୁ ମେଡିକାଲରେ ତାହା ବି ଉପଲବ୍ଧ ନାହିଁ। ଆମକୁ ଅକ୍ସିଜେନ୍‌ ମିଳୁନାହିଁ, ଆଖି ଆଗରେ ଶହଶହ ରୋଗୀ ମରୁଛନ୍ତି। ଦୟାକରି ଆମକୁ ଅକ୍ସିଜେନ୍‌ ଦିଅନ୍ତୁ ସରକାର ବୋଲି ମେଡିକାଲର ଡାଇରେକ୍ଟର ଜଣକ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୦ କି ୧୨ଟି ମେଡିକାଲକୁ ନେଇ ଜଣେ ନୋଡ଼ାଲ ଅଫିସର ନିଯୁକ୍ତି କରିବାର ଆବଶ୍ୟକତା ରହିଛି। ତେଣୁ ମେଡିକାଲରେ ଆବଶ୍ୟକତା ଅନୁସାରେ, ଅକ୍ସିଜେନ୍‌ ପହଂଚିବା ଦରକାର ବୋଲି ସେ କହିଛନ୍ତି।

ଏହାସହ କର୍ଣ୍ଣାଟକରେ ଅକ୍ସିଜେନ୍‌ର ବଡ଼ କାରଖାନ ରହିଛି। ତେଣୁ ସେମାନେ ସାରା ଦେଶକୁ ନିରନ୍ତର ଭାବରେ ଅକ୍ସିଜେନ୍‌ ଯୋଗାଇବାକୁ ସେ ଦାବି କରିଛନ୍ତି। ତେବେ କର୍ଣ୍ଣାଟକର ଚାମରାଜନଗରର ଏକ ସରକାରୀ ଡାକ୍ତରଖାନାରେ ରବିବାର ଅକ୍ସିଜେନ ଅଭାବରୁ ୨୪ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ରୋଗୀ କୋଭିଡ ସଂକ୍ରମିତ ଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ, ପଡୋଶୀ ଜିଲ୍ଲା ମହୀଶୁରରୁ ଅକ୍ସଜେନ ଆସୁଥିଲା । ତେବେ ରବିବାର ଅକ୍ସଜେନ ଯୋଗାଣ ହୋଇ ପାରିଲା ନାହିଁ ଯେଉଁଥି ପାଇଁ ଏତେ ରୋଗୀଙ୍କ ଜୀବନ ଚାଲି ଯାଇଥିଲା ।

You might also like