ଦିଲ୍ଲୀକୁ ଅଧିକ ଅକ୍ସିଜେନ୍ ଦିଆଯାଉ : ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ କେଜ୍ରିୱାଲ

  • ମୋଦିଙ୍କ ଅକ୍ସିଜେନ୍ ସମୀକ୍ଷା
  • କରୋନା ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା
  • କରୋନା ସ୍ଥିତିକୁ ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି
  • ବୈଠକରେ ଅଧିକ ଅକ୍ସିଜେନ୍ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
  • କିଛି ରାଜ୍ୟରେ ଦିଲ୍ଲୀ ପାଇଁ ଯାଉଥିବା ଅକ୍ସିଜେନକୁ ଅଟକା ଯାଉଛି
  • ମୋଦିଙ୍କ ଗୋଟିଏ ଫୋନ୍ କଲ୍ ଦିଲ୍ଲୀର ଅକ୍ସିଜେନ୍ ସମସ୍ୟା ଦୂର କରିପାରିବ
  • ମୋଦିଙ୍କୁ ଅକ୍ସିଜେନ୍ ପାଇଁ ନିବେଦନ କଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀକୁ ଅଧିକ ଅକ୍ସିଜେନ୍ ଦିଆଯାଉ । ଦିଲ୍ଲୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଅକ୍ସିଜେନ୍ ମାଗିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପୂର୍ବରୁ ଦିଲ୍ଲୀକୁ ବିଭିନ୍ନ ରାଜ୍ୟରୁ ଅକ୍ସିଜେନ୍ ଆସୁଥିଲା । ତେବେ ଗତ କିଛି ଦିନ ଧରି ଏହାକୁ ଅଟକାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ, ଏହି ସମସ୍ୟାର ସମାଧାନ ହୋଇଯିବ । ମୋଦିଙ୍କ ଗୋଟିଏ ଫୋନ୍ କଲରେ ଦିଲ୍ଲୀର ଅକ୍ସିଜେନ୍ ସମସ୍ୟା ସମାଧାନ ହୋଇଯିବ ବୋଲି କେଜ୍ରିୱାଲ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଦେଶର କରୋନା ପରିସ୍ଥିତି ନେଇ ଆଲୋଚନା କରିଛନ୍ତି । ଦେଶର କରୋନାରେ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, କେରଳ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ବି ଏହି ବୈଠକରେ ସାମିଲ ରହିଛନ୍ତି । ମୋଦି ଆଜି ୩ରୁ ଅଧିକ ବୈଠକରେ ଯୋଗ ଦେଇ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଅକ୍ସିଜେନ୍ ସମସ୍ୟାକୁ ନେଇ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ମିଟିଂରେ ଦେଶର ପ୍ରମୁଖ ଅକ୍ସିଜେନ ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଅକ୍ସିଜେନ ଉତ୍ପାଦନ ଏବଂ ଏହାର ଅବାଧ ପରିବହନ ଉପରେ ଆଲୋଚନା ହୋଇଛି ।

ସେପଟା ମହାରାଷ୍ଟ୍ର ପରେ ଏବେ ଉତ୍ତରପ୍ରଦେଶ ପାଲଟୁଛି କରୋନା ସଂକ୍ରମଣର ନୂଆ ହଟସ୍ପଟ୍ । ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୩୪ ହଜାର ୨୫୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଠାରେ ୧୯୫ ଜଣଙ୍କ ଜୀବନ ନେଇଛି ମହାମାରୀ । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୭ ହଜାର ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୫୬୮ ଜଣ । କେରଳରେ ୨୬ ହଜାର ୯୯୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିଲ୍ଲୀରେ ୨୬ ହଜାର ୧୬୯ ଜଣ ନୂଆ ପଜିଟିଭ ବାହାରିଥିବା ବେଲେ ୩୦୬ ଜଣଙ୍କ ଜୀବନ ଯାଇଛି । କର୍ଣ୍ଣାଟକରେ ୨୫ ହଜାର ୭୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି ୧୨୩ ଜଣ ।  ଓଡ଼ିଶାର ପ଼ଡୋଶୀ ଛତିଶଗ଼ଡରେ ୧୬ ହଜାର ୭୫୦, ପଶ୍ଚିମବଙ୍ଗରେ ୧୧ ହଜାର ୯୪୮ ଏବଂ ଆନ୍ଧ୍ରପ୍ରଦେଶରେ ୧୦ ହଜାର ୭୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଦେଶରେ ବେକାବୁ ହେଉଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ବଢ଼ିବାରେ ଲାଗିଛି। ଗତକାଲି ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ହୋଇଥିବାବେଳେ ୨୧୦୪ ଜଣ ପ୍ରାଣ ନେଇଥିଲା କରୋନା। ହେଲେ ଆଜି ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାର ୭୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଦିନକରେ ୨୨୬୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

You might also like