୨୪ ଘଣ୍ଟାରେ କରୋନାର ସବୁ ରେକର୍ଡ ଭାଙ୍ଗିଲା ଦିଲ୍ଲୀ

ନୂଆଦିଲ୍ଲୀ: ଭାରତରେ ଲଗାତାର କରୋନାଭାଇରସର କାୟା ବିସ୍ତାର ହେବାରେ ଲାଗିଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ଏଠାରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି। ଏହି ଆଧାରରେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ରେକର୍ଡ ୩୯୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯାହାକି ଏପର୍ଯ୍ୟନ୍ତ କୌଣସି ଗୋଟିଏ ଦିନରେ ଏହା ସର୍ବାଧିକ।

ଏଥିସହ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬,୬୦୨ରେ ପହଞ୍ଚିଛି। ସେଥିରୁ ୨୩୦୧ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୬୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭୧୧ ଜଣ ସୁସ୍ଥ ହୋଇଛନ୍ତି। ଏବେବି ଦିଲ୍ଲୀରେ ୨୪୯୮୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ଏବେ ଏକାଠି ହୋଇଛନ୍ତି। ଦିଲ୍ଲୀରେ କରୋନାକୁ ରୋକିବା ପାଇଁ ଉଭୟ ସରକାର ଅନେକ ବଡ଼ ପଦକ୍ଷେପ ନେଉଛନ୍ତି। ଖୋଦ୍ ଗୃହମନ୍ତ୍ରୀ ଅମିତ୍ ଶାହ ଏହି ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି।

ଗତ ସପ୍ତାହକ ମଧ୍ୟ ନିଜେ ଅମିତ୍ ଶାହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଏଲଜିଙ୍କ ସହ ତିନିଥର ସାକ୍ଷାତ କରିସାରିଛନ୍ତି। ଏହାବ୍ୟତୀତ ଗୃହ ମନ୍ତ୍ରାଳୟର ଦୁଇ ରାଜ୍ୟ ମନ୍ତ୍ରୀ ମଧ୍ୟ କରୋନାକୁ ନେଇ ଦିଲ୍ଲୀର ଅଲଗା ଅଲଗା ସ୍ଥାନକୁ ଗସ୍ତ କରୁଛନ୍ତି।

You might also like