ଶୁଭମୁହୂର୍ତ୍ତରେ ଖୋଲିଲା କେଦାରନାଥଙ୍କ ମନ୍ଦିର ଦ୍ୱାର

ପ୍ରଧାନମନ୍ତ୍ରୀଙ୍କ ନାମରେ କରାଗଲା ପ୍ରଥମ ପୂଜା,କେବଳ ତୀର୍ଥ ପୂଜକ ସାମିଲ

ଖୋଲିଲା କେଦାରନାଥ ଧାମ । ଶୁଭମୁହୂର୍ତ୍ତରେ କେଦାରନାଥ ମନ୍ଦିରର ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଛି । କରୋନା ପ୍ରୋଟୋକଲ୍ ଅଧୀନରେ ତୀର୍ଥ ପୂଜକଙ୍କ ଉପସ୍ଥିତିରେ ମେଷ ଲଗ୍ନରେ ସକାଳ ପାଞ୍ଚଟା ସମୟରେ କେଦାରନାଥ ଧାମ ଖୋଲିଛି । ତେବେ ଏହି ସମୟରେ ଅଳ୍ପ କିଛି ପୂଜକ ଉପସ୍ଥିତ ଥବା ସୂଚନା ମିଳିଛି । ଭଗବାନ କେଦାରନାଥଙ୍କ ଦ୍ୱାର ଖୋଲିବା ପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା ।

ଦ୍ୱାରଫିଟା ନୀତି ପୂର୍ବରୁ ବାବା କେଦାରନାଥଙ୍କ ପୂଜାର୍ଚ୍ଚନା ସକାଳ ୩ଟାରୁ ଆରମ୍ଭ ହୋଇଯାଇଥିଲା ।  ସଂକ୍ରମଣ ଦୃଷ୍ଟିରୁ କିଛି ଲୋକଙ୍କୁ ହିଁ ଅନୁମତି ମିଳିଥିଲା । ଏହା ପୂର୍ବରୁ ମନ୍ଦିର ପରିସରକୁ ୧୧ କ୍ୱିଣ୍ଟାଲ ଫୁଲରେ ସୁସଜ୍ଜିତ କରାଯାଇଥିଲା । ଭଗବାନ କେଦାରନାଥଙ୍କ ସମେତ ଅନ୍ୟ ସମସ୍ତ ମନ୍ଦିରକୁ ମଧ୍ୟ ରଙ୍ଗବେରଙ୍ଗୀ ଫୁଲରେ ସୁସଜ୍ଜିତ କରାଯାଇଛି । ମନ୍ଦିର ଖୋଲିବା ପରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ମନ୍ଦିରରେ ପ୍ରଥମ ପୂଜା କରାଯାଇଥିଲା । ବର୍ତ୍ତମାନ କରୋନା ପାଇଁ ଭକ୍ତଙ୍କୁ କେଦାରନାଥ ଦର୍ଶନର ଅନୁମତି ନାହିଁ।

ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ, କରୋନା ମହାମାରୀକୁ ରୋକିବା ପାଇଁ ଚଳିତ ଥର ଚାରି ଧାମ ଯାତ୍ରାରେ ସାଧାରଣ ଲୋକଙ୍କ ଆଗମନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି ମନ୍ଦିର ଭିତରେ ପ୍ରସାଦକୁ ବଣ୍ଟନକୁ ଅନୁମତି ଦିଆଯାଇ ନାହିଁ। ବାବା ବରଫାନିଙ୍କ ଗର୍ଭଗୃହକୁ ଯିବାପାଇଁ କେବଳ ମନ୍ଦିର ପରିଚାଳନା ସହିତ ଜଡିତ ଲୋକଙ୍କୁ ଅନୁମତି ମିଳିଛି । ସେମାନେ ଗର୍ଭଗୃହକୁ ପ୍ରବେଶ କଲେ ସୁଦ୍ଧା ପ୍ରତିମା, ଘଣ୍ଟି କିମ୍ବା ଧାର୍ମିକ ଗ୍ରନ୍ଥକୁ ଛୁଇଁବାକୁ ବାରଣ କରାଯାଇଛି ।

ସିଏମ୍ ତିରଥ ସିଂ ରାୱତ କହିଛନ୍ତି, ଆଜି ସକାଳ ୫ ଟାରେ ରୀତିନୀତିରେ ବିଶ୍ୱ ପ୍ରସିଦ୍ଧ ଏକାଦଶ ଜ୍ୟୋତିର୍ଲିଙ୍ଗ ଭଗବାନ୍ କେଦାରନାଥ ଧାମଙ୍କ ଦ୍ୱାର ଖୋଲାଯାଇଛି। ମେଷ ଲଗ୍ନର ଶୁଭ ସଂଯୋଗରେ ମନ୍ଦିରର ଦ୍ୱାରା ଖୋଲିଛି । ମୁଁ ବାବା କେଦାରନାଥଙ୍କ ଠାରେ ପ୍ରାର୍ଥନା କରୁଛି, ସେ ସମସ୍ତଙ୍କୁ ସୁସ୍ଥ ଓ ନିରୋଗ ରଖନ୍ତୁ ।

You might also like