ରାଫେଲ୍ ଗ୍ରହଣ କଲେ, ଓମ୍ ଲେଖି ଶସ୍ତ୍ର ପୂଜା କଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ: ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ପବିତ୍ର ଦଶହରାରେ ଏହି ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନା ପକ୍ଷରୁ ଗ୍ରହଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦକ୍ଷିଣପଶ୍ଚିମ ଫ୍ରାନ୍ସଠାରେ ଥିବା ଡାସଲ୍ଟ ଆଭିଏସନ୍ର ପକ୍ଷରୁ ମେରିନାକ୍ର ଫାସିଲିଟିଠାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତାନ୍ତର ଉତ୍ସବରେ ପ୍ରଥମ ରାଫେଲ୍ ଫାଇଟର୍ ଜେଟ୍କୁ ଗ୍ରହଣ କରିଛି ଭାରତ।
ବିମାନର ଟେଲ୍ ନମ୍ବର ରହିଛି RB-001। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିମାନ ଉପରେ ଓମ୍ ଲେଖି ଶସ୍ତ୍ର ପୂଜା କରିଥିଲେ। ଏହାପରେ ଏହି ଲଢ଼ୁଆ ବିମାନର ରିୟର୍ କକ୍ ପିଟ୍ରେ ବସି ରାଜନାଥ ନିଜେ ଉଡ଼ିଥିଲେ। ଏହାକୁ ଜଣେ ଫ୍ରେଞ୍ଚ ପାଇଲଟ୍ ଆକାଶରେ ଉଡ଼ାଇଥିଲେ।
ଭାରତ ପାଇଁ ଏହା ଏକ ଐତିହାସିକ ଦିନ । ରାଫେଲ୍ ଭାରତୀୟ ବାୟୁସେନାର ଯଥେଷ୍ଟ ଶକ୍ତିବୃଦ୍ଧି କରିବ ବୋଲି କହିଥିଲେ ରାଜନାଥ।
୩ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ରାଜନାଥ ପ୍ୟାରିସ୍ରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନ୍ୟୁଏଲ ମ୍ୟାକରନ୍ଙ୍କୁ ଭେଟିଥିଲେ ।ବାୟୁସେନାର ଆଧୁନିକୀକରଣ ପାଇଁ ଭାରତ ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଫାଇଟର୍ ଜେଟ୍ କିଣୁଛି । ଆସନ୍ତା ୨୦୨୧ ଫେବୃୟାରୀ ସୁଦ୍ଧା ପ୍ରାଥମିକ ପର୍ଯ୍ୟାୟରେ ୧୮ଟି ଏବଂ ୨୦୨୨ ଏପ୍ରିଲରୁ ମେ’ ମଧ୍ୟରେ ସମସ୍ତ ୩୬ଟି ଯାକ ରାଫେଲ୍ ଭାରତକୁ ମିଳିଯିବ ବୋଲି କହିଛନ୍ତି ରାଜନାଥ । ଡାସୋଲ୍ଟ ଆଭିଏସନ୍ ଦ୍ୱାରା ଭାରତ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ରାଫେଲ୍ ଜେଟ୍ରେ ରାଡାର ଓ୍ୱାର୍ଣ୍ଣିଂ ରିସିଭର୍, ଲୋ ବ୍ୟାଣ୍ଡ୍ ଜାମର, ୧୦ ଘଣ୍ଟାର ଫ୍ଲାଇଟ୍ ଡାଟା ରେକର୍ଡିଂ ଏବଂ ଇନ୍ଫ୍ରା-ରେଡ୍ ସର୍ଚ୍ଚ ଓ ଟ୍ରାକିଂ ସିଷ୍ଟମ୍ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।