ଇଣ୍ଡୋନେସିଆରେ ସୁନାମି ତାଣ୍ଡବ: ମୃତ୍ୟୁ ସଂଖ୍ୟା ୨୨୨କୁ ବୃଦ୍ଧି, ୭୦୦ ନିଖୋଜ

ଜାକର୍ତା: ଇଣ୍ଡୋନେସିଆରେ ସୁନାମିର ତାଣ୍ଡବ। ଗତକାଲି ଆସିଥିବା ପ୍ରଳୟଙ୍କରୀ ସୁନାମିରେ ୨୨୨ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଶହରୁ ଅଧିକ ଆହତ ହୋଇଛନ୍ତି। କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସେହିପରି ଅନେକ ଲୋକ ନିଖୋଜ ଅଛନ୍ତି। ସୁନାମି ମାଡ଼ରେ ହଜାର ହଜାର ଘର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଚାଇଲ୍ଡ ଅଫ୍ ଦ ଲିଜେଣ୍ଡ୍ରି କ୍ରାକାଟୋଆ ନାଁରେ ଜଣାଶୁଣା ଆଗ୍ନେୟଗିରିରୁ ଉଦ୍‌ଗିରଣ ଯୋଗୁ ଏହି ସୁନାମି ଆସିଥିବା କୁହାଯାଉଛି।

ପ୍ରକୃତିର ଆଗରେ ମଣିଷ କେତେ ଅସହାୟ,ତାହା ଇଣ୍ଡୋନେସିଆରେ ହଠାତ୍ ମାଡ଼ିଆସିଥିବା ସମୁଦ୍ର ଜୁଆର ଦେଖିଲେ ଜଣାପଡ଼ୁଛି। ହଠାତ୍ ମାଡିଆସୁଛି ୨୦ ମିଟର ଉଚ୍ଚର ବିରାଟକାୟ ଜୁଆର। ଆଉ କେହି କିଛି ଭାବିବା ପୂର୍ବରୁ ସମୁଦ୍ର ଗର୍ଭରେ ଲୀନ ହୋଇଯାଉଛି ସବୁକିଛି। ପର୍ଯ୍ୟଟନ ଲାଗି ପ୍ରସିଦ୍ଧ ଇଣ୍ଡୋନେସିଆର ଏକ ସମୁଦ୍ରକୁଳିଆ ରିସର୍ଟରେ ଗତକାଲି ରାତିରେ ଚାଲିଥିଲା କନସର୍ଟ। ପର୍ଯ୍ୟଟକମାନେ ସଂଗୀତର ମଜା ନେବା ସହ ମଉଜମଜଲିସ୍‌ରେ ମାତିଥିଲେ। ତେବେ ଜୁଆର ଏତେ ଶୀଘ୍ର ଆସିଥିଲା ଯେ କେହି କିଛି ଭାବିବା ପୂର୍ବରୁ ସମଗ୍ର ଅଞ୍ଚଳକୁ ଗ୍ରାସ କରିନେଇଥିଲା।

ଲୋକେ ପରସ୍ପରକୁ ଜାବୁଡ଼ି ଧରି ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେବେ ପ୍ରକୃତିର କରାଳ କାୟା ଆଗରେ ହାର ମାନିଥିଲା ମଣିଷର ବଳ। ଅନେକ ପର୍ଯ୍ୟଟକ ଓ କନସର୍ଟ କରୁଥିବା ବ୍ୟାଣ୍ଡ-୧୭ର କିଛି ସଦସ୍ୟ ଭାସି ଯାଇ ପ୍ରାଣ ହରାଇଛନ୍ତି।

ସୁମାତ୍ରା ଦ୍ୱୀପର ଦକ୍ଷିଣରୁ ଜାଭାର ପଶ୍ଚିମାଞ୍ଚଳ ପର୍ଯ୍ୟନ୍ତ ସାମୁଦ୍ରିକ ଉପକୁଳରେ ତାଣ୍ଡବ ରଚିଛି ସୁନାମି। ସମୁଦ୍ର ମାଡ଼ି ଆସିବା ଯୋଗୁ ଶହ ଶହ ଘର ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଗଛ ଓ ଇଲେକଟ୍ରି ଖୁଣ୍ଟ ମାଟିରେ ଶୋଇଯାଇଛି। ପ୍ରଭାବିତ ଅଞ୍ଚଳର ନକ୍ସା ସଂପୂର୍ଣ୍ଣ ଭାବେ ବଦଳିଯାଇଛି କହିଲେ ଚଲେ।

ସୁନାମିରେ ନିଖୋଜ ଥିବା ଲୋକମାନଙ୍କୁ ଠାବ କରିବା ଲାଗି ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି। ଅନେକ ଲୋକ ନିକଟରେ ଥିବା ଜଙ୍ଗଲକୁ ପଳାଇଯାଇ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି।

ବିଶ୍ୱର ସବୁଠାରୁ ଅଧିକ ଭୂମିକମ୍ପ ପ୍ରଭାବିତ ଅଂଚଳ ଭାବେ ଜଣାଶୁଣା ଇଣ୍ଡୋନେସିଆରେ କିନ୍ତୁ ଏହି ପ୍ରଳୟଙ୍କରୀ ବିପତ୍ତି ପାଇଁ କୌଣସି ପ୍ରାକ୍ ସୂଚନା ନଥିଲା। ଭୂମିକମ୍ପ ପରେ ସୁନାମିର ପ୍ରାକ ସୂଚନା ଦେଇପାରୁଥିବା ଇଣ୍ଡୋନେସିଆର ପ୍ରାକୃତିକ ବିପର୍ଯ୍ୟୟ ଏଜେନ୍ସି ଏହାର ଆକଳନ କରି ପାରି ନଥିଲା। ତେବେ ଶୁକ୍ଲ ପକ୍ଷ ଯୋଗୁ ସମୁଦ୍ର ଜୁଆରିଆ ରହିବା ଏବଂ ଅଚାନକ୍ କ୍ରାକାଟୋଆ ଆଗ୍ନେୟଗିରିରୁ ପ୍ରବଳ ଲାଭା ଉଦଗୀରଣ ଯୋଗୁ ସମୁଦ୍ରତଳେ ମାଟି ଅତଡ଼ା ଧସିଥିବା କାରଣରୁ ଏଭଳି ସୁନାମି ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।

ଗତ ସେପ୍ଟେମ୍ବର ମାସରେ ଇଣ୍ଡୋନେସିଆରେ ଆସିଥିବା ଭୂମିକମ୍ପରେ ୨ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ସେହିପରି ୨୦୦୪ରେ ଆସିଥିବା ପ୍ରଳୟଙ୍କରୀ ସୁନାମିରେ ଇଣ୍ଡୋନେସିଆରେ ୧ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

You might also like