ଗର୍ଭବତୀ ହାତୀ ହତ୍ୟା ଘଟଣାରେ ଜଣେ ଗିରଫ

ଥିରୁଅନନ୍ତପୁମ୍‌: କେରଳ ପଲକ୍କଡ ଜିଲ୍ଲାରେ  ଗର୍ଭବତୀ ହାତୀ ହତ୍ୟା ଘଟଣାରେ ଜଣେ ଗିରଫ ହୋଇଛନ୍ତି।  କେରଳ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କେ.ରାଜୁ ଏହି ସୂଚନା ଦେଇଛନ୍ତି । ଗତକାଲି ଏ ସଂକ୍ରାନ୍ତରେ ରାଜ୍ୟ ସରକାରକୁ ରିପୋର୍ଟ ମାଗିଥିଲେ କେନ୍ଦ୍ର ସରକାର ।

ଏପରିକି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ବର୍ଗର ବ୍ୟକ୍ତି ବିଶେଷ ଦାବି କରିଥିଲେ । କେରଳ ବନ ବିଭାଗ ଅଜଣା ବ୍ୟକ୍ତି ନାଁରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ସେପଟେ ପ୍ରାଥମିକ ତଦନ୍ତରୁ ବନ ବିଭାଗ ଜାଣିବାକୁ ପାଇଛି ଯେ, ପାଟିରେ ବାଣଭର୍ତ୍ତି ସପୁରୀ ଫୁଟିବା ପରେ, ଗର୍ଭିଣୀ ହାତୀଟି ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ପ୍ରାୟ ୨୦ ଦିନ କିଛି ଖାଇପାରିନଥିଲା । ଏହି ଘଟଣା ପରେ ମଲ୍ଲାପୁରମ ଅଞ୍ଚଳରେ ପାଟ୍ରୋଲିଂକୁ ଆହୁରି କଡାକ଼ଡି କରାଯାଇଛି।

କେରଳ ମୁଖ୍ୟମନ୍ତ୍ରୀ Pinarayi Vijayan ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସେ କହିଛନ୍ତି, କେରଳ ବନ ବିଭାଗ ଏବଂ ପୋଲିସ ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି।

ସୂଚନାଥାଉ କି, ଗତ ମାସ ୨୭ ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ମଣିଷର ଛଳନାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ପ୍ରାଣ ବିକଳରେ ଏକ ନଦୀ ଭିତରକୁ ପଶିଯାଇଥିଲା। ନଦୀରେ ଠିଆ ହୋଇଥିବା ଅବସ୍ଥାରେ ହିଁ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି। ଏକ ଗର୍ଭବତୀ ହାତୀକୁ ବିସ୍ଫୋରକ ଦ୍ୱାରା ଏପରି ନିର୍ଦ୍ଦୟ ଭାବେ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ଘଟଣାରେ କେନ୍ଦ୍ର ମଧ୍ୟ ରାଜ୍ୟକୁ ରିପୋର୍ଟ ତଲବ କରିଥିଲା।

ଅନ୍ୟପକ୍ଷେ ହାତୀ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି, ହାତୀଟି ଗର୍ଭବତୀ ଥିଲା ଏବଂ ତା‘ର ଶ୍ୱାସନଳୀରେ ପାଣି ଭର୍ତ୍ତି ହୋଇ ଯାଇଥିଲା। ପାଣିରେ ବୁଡି ରହିବା ଦ୍ୱାରା ଶରୀର ଭିତରେ ପାଣି ଭର୍ତ୍ତି ହୋଇଯାଇଥିଲା। ଏହି କାରଣରୁ ହାତୀର ମୃତ୍ୟୁ ଘଟିଥିବା କୁହାଯାଇଛି।

 

You might also like