ଅକ୍ସିଜେନ ଅଭାବରୁ କରୋନା ରୋଗୀଙ୍କୁ ମୃତ୍ୟୁ ମୁହଁକୁ ଠେଲିଦେବା ନରସଂହାର ସହ ସମାନ: କୋର୍ଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଦେଶରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢି ବଢି ଚାଲିଛି । ମୃତ୍ୟୁ ସଂଖ୍ୟା ବି କମିବାର ନାଁ ଧରୁନି । ଏପରି ସ୍ଥିତିରେ ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶରେ ସମ୍ବଳର ଅଭାବ । କରୋନା ଚିକିତ୍ସା ପାଇଁ ଆବଶ୍ୟକ ସାଧନ ମିଳୁନି । ଫଳରେ ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କର ମୃତ୍ୟୁ ଘଟିଛି ।

ଦେଶରେ ଏପରି ସ୍ଥିତିକୁ ଦେଖି ଆଲ୍‌ହାବାଦ ହାଇକୋର୍ଟ କଡା ସମାଲୋଚନା କରିଛନ୍ତି । ଅକ୍ସିଜେନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁକୁ ଏକ ଅପରାଧ ବୋଲି କହିବା ସହ ଏହା କୌଣସି ନରସଂହାରଠାରୁ କମ୍‌ ନୁହେଁ ବୋଲି କହିଛନ୍ତି । ଯେଉଁମାନଙ୍କ ହାତରେ ଚିିକିତ୍ସା ଦାୟିତ୍ୱ ଦିଆଯାଇଛି, ସେମାନେ ଏହି ନରସଂହାର ପାଇଁ ଦାୟୀ ବୋଲି ହାଇକୋର୍ଟ କହିଛନ୍ତି। ଲକ୍ଷ୍ନୌ ଏବଂ ମେରଟରେ ଅକ୍ସିଜେନ ଅଭାବରୁ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟଣାରେ ଅଦାଲତ ଏପରି ଟପ୍ପଣୀ ଦେଇଛନ୍ତି ।

ଅଦାଲତଙ୍କର ଏପରି ଟିପ୍ପଣୀ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଦାଲତ ମେରଟ ଏବଂ ଲକ୍ଷ୍ନୌ ଜିଲ୍ଲା ଅଧିକାରୀଙ୍କୁ ଏହାର ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଜାରି କରିବାକୁ କହିଛନ୍ତି । ନ୍ୟାୟମୂର୍ତ୍ତି ସିଦ୍ଧାର୍ଥ ବର୍ମା ଏବଂ ନ୍ୟାୟମୂର୍ତ୍ତି ଅଜିତ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟରେ ସଂକ୍ରମଣର ପ୍ରସାର ଏବଂ ଆଇସୋଲେସନ ସେଣ୍ଟରର ସ୍ଥିତି ସମ୍ପର୍କୀୟ ଏକ ଜନହିତ ଯାଚିକା ଉପରେ ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି । ପରବର୍ତ୍ତୀ ଶୁଣାଣି ସମୟରେ ଏହି ଯାଞ୍ଚ ରିପୋର୍ଟ କୋର୍ଟରେ ଦାଖଲ କରିବା ସହ ଅଦାଲତରେ ଅନଲାଇନ୍‌ରେ ଉପସ୍ଥିତ ରହିବାକୁ ଅଦାଲତ ଦୁଇ ଜିଲ୍ଲା ଅଧିକାରୀଙ୍କୁ କହିଛନ୍ତି ।

ଅଦାଲତ କହିଛନ୍ତି, ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ କୋଭିଡ ରୋଗୀଙ୍କର ମୃତ୍ୟୁ ଘଟୁଛି । ଏହି ଖବର ସମସ୍ତଙ୍କୁ ମର୍ମାହତ କରିଛି । ଏହା ଏକ ଅପରାଧିକ କାମ । ଅକ୍ସଜେନ ଯୋଗାଣ ପାଇଁ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେହି ଲୋକଙ୍କ ଦ୍ୱାରା ଏହା ଏକ ପ୍ରକାର ନରସଂହାରଠାରୁ କମ୍‌ ନୁହେଁ ।

ଖଣ୍ଡପୀଠ କହିଛନ୍ତି, ବିଜ୍ଞାନର ଏତେ ଉନ୍ନତି ହୋଇଛି ଯେ, ଆମେ ହୃଦୟ ପ୍ରତିରୋପଣ କରିପାରୁଛେ, ମସ୍ତିଷ୍କର ସର୍ଜରୀ କରିପାରୁଛେ । ହେଲେ ଏପରି ଅକ୍ସିଜେନ ଅଭାବରୁ ଲୋକଙ୍କୁ ମରିବାକୁ କିପରି ଦେଇପାରିବା !

ଶୁଣାଣି ସମୟରେ ଅଦାଲତ କହିଥିଲେ, ଗତ ରବିବାର ମେରଟ ମେଡିକାଲ କଲେଜରେ ଏକ ନୂଆ ଟ୍ରମା ସେଣ୍ଟରର ଆଇସିୟୁରେ ଅକ୍ସିଜେନ ନ ମିଳିବାରୁ ୫ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେହିପରି ଲକ୍ଷ୍ନୌର ଗୋମତି ନଗରରେ ସନ୍ ହସ୍ପିଟାଲ ଏବଂ ଅନ୍ୟ ଏକ ଘରୋଇ ଡାକ୍ତରଖାନାରେ ଅକ୍ସଜେନ ନ ମିଳିବାରୁ କୋଭିଡ ରୋଗୀଙ୍କୁ ନିଜ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିଜେ କରିବାକୁ କହିଥିବା ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଆଲାହାବାଦ ହାଇକୋର୍ଟ ବିଚାରପତି ବିକେ ଶ୍ରୀବାସ୍ତବଙ୍କର ସଂକ୍ରମଣରେ ମୃତ୍ୟୁ ଘଟିଥିଲା ।

ତାଙ୍କର ମୃତ୍ୟୁ ଉପରେ ଅଦାଲତ କହିଥିଲେ, ନ୍ୟାୟମୂର୍ତ୍ତି ଶ୍ରୀବାସ୍ତବଙ୍କୁ ଏପ୍ରିଲ ୨୩ ତାରିଖ ସକାଳେ ଲକ୍ଷ୍ନୌ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସଂନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କର କୌଣସି ଚିକିତ୍ସା ସୁବିଧା କରାଯାଇ ନ ଥିଲା । ସନ୍ଧ୍ୟା ସାଢେ ୭ଟା ବେଳକୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଲା । ତା’ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେହି ରାତିରେ ଆଇସିୟୁରେ ରଖାଗଲା ଏବଂ ସେଠାରେ ସେ ୫ ଦିନ ରହିଲେ । ପରେ ତାଙ୍କର ମୃତ୍ୟୁ ଘଟିଲା ।

ଋାମ ମନୋହର ଲୋହିଆ ହସ୍ପିଟାଲରେ ନ୍ୟାୟମୂର୍ତ୍ତି ଶ୍ରୀବାସ୍ତବଙ୍କର କ’ଣ ଚିକିତ୍ସା ହୋଇଥିଲା ତାହାର ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତା ଛଡା ବେଆଇନ ଭାବେ ରଖାଯାଇଥିବା ଅକ୍ସିଜେନ ସିଲିଣ୍ଡର, ରେମଡେସିଭିର ଇଞ୍ଜେକ୍ସନ, ଔଷଧ ଏବଂ ଅକ୍ସିମିଟର ମାଲଖାନାରେ ରଖାଯିବା ଘଟଣାକୁ ନେଇ ଅଦାଲତ କହିଛନ୍ତି, ଏସବୁକୁ ଗୋଦାମ ଘରେ ରହିବା କୌଣସି ପ୍ରକାର ଜନହିତକର କାମ ନୁହେଁ ।

You might also like