କରୋନା ପାଇଁ କାଶ୍ମୀରରେ ପ୍ରଥମ ମୃତ୍ୟୁ

ଶ୍ରୀନଗର: କାଶ୍ମୀରରେ ପ୍ରଥମ ମୁଣ୍ଡ ନେଲା କରୋନା ଭାଇରସ୍‌। ହାଇଦରପୋରା ଗାଁର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ୩ ଦିନ ପୂର୍ବରୁ ଏହି ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଆଜି ସକାଳେ ଶ୍ରୀନଗର ସ୍ଥିତ ସିଡି ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଛି।

ଏନେଇ ଟ୍ୱିଟ୍‌ କରି  ସୂଚନା ଦେଇଛନ୍ତି ଶ୍ରୀନଗର ମେୟର ଜୁନେଦ୍ ଅଜିମ୍‌ ମଟ୍ଟୁ। ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସିଡି ହସ୍‌ପିଟାଲ୍‌ରେ ଡାକ୍ତରଙ୍କୁ ତାଙ୍କର ସାହସିକତା ଲଢ଼େଇ ପାଇଁ  ସେ ଧନ୍ୟବାଦ ଦେଇଛନ୍ତି।  ଏଥିସହିତ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି ଶ୍ରୀନଗର ମେୟର।

ମୃତ ବ୍ୟକ୍ତି ସଂସ୍ପର୍ଶରେ ଆସି ଅନ୍ୟ ୪ ଜଣ ସଂକ୍ରମିତ ହୋଇଥିବା ବୁଧବାର ଜଣାପଡ଼ିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଏଥିସହିତ ୭ ଡାକ୍ତରଙ୍କୁ ମିଶାଇ ଅନ୍ୟ ୭୦ ଜଣଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ବର୍ତ୍ତମାନ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ୧୧ ଜଣ କୋଭିଡ୍‌-୧୯ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଜଣେ ସୁସ୍ତ ହୋଇ ଫେରିଛନ୍ତି।

ତେବେ ଚିନ୍ତାର ବିଷୟରେ ହେଉଛି, ଅଧିକାଂଶ ଲୋକ ତାଙ୍କ ବିଦେଶ ଭ୍ରମଣ ତଥ୍ୟକୁ ଲୁଚାଉଥିବାର ଦେଖାଯାଉଛି। ତେଣୁ ଏହି ରୋଗ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରୁଛି କାଶ୍ମୀର ପ୍ରଶାସନ।

୫,୧୨୪ ଯାତ୍ରୀ ଓ ଲୋକ ଯେଉଁମାନେ କି କରୋନା ସଂକ୍ରମତି ଏବଂ ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି। ସେମାନଙ୍କ ମଧ୍ୟରୁ ୩,୦୬୧ ସରକାରଙ୍କ ସୁବିଧା ନେଇ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୮୦ ଜଣଙ୍କୁ ଡାକ୍ତରଖାନାରେ କ୍ୱାରେଣ୍ଟାନ୍‌ରେ ରଖାଯାଇଛି। ଏବଂ ୧,୪୭୭ ଜଣଙ୍କୁ ଗୃହବନ୍ଦୀ କରାଯାଇଛି। ତେବେ ଟେଷ୍ଟିଂ ପାଇଁ ଏପର୍ଯ୍ୟନ୍ତ ୩୦୦ ଲୋକଙ୍କ ନମୁନା ପଠାଇଯାଇଛି।

ସାରା ଦେଶରେ କରୋନା ପାଇଁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ କାଶ୍ମୀରେ ମଧ୍ୟ ତାହା କଡ଼ାକଡ଼ି ପାଳନ ହେଉଛି।  ୧୪୪ ଧାରା ମଧ୍ୟ ଜାରି ହୋଇଛି। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ ୨୦୦ ମାମଲା ରୁଜ୍ଜୁ ହୋଇ ସାରିଲାଣି।

 

You might also like