ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

କାବୁଲ: ଆଫଗାନିସ୍ତାନ ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ଏକ ଆତ୍ମଘାତୀ କାର ବିସ୍ଫୋରଣରେ ୧୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୨୦ ଲୋକ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ଘୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତର ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

ଗୃହ ମନ୍ତ୍ରାଳୟର କହିବା ଅନୁଯାୟୀ, ଏହି ଆତ୍ମଘାତୀ ଆକ୍ରମଣ ପ୍ରାନ୍ତୀୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପ୍ରବେଶ ଦ୍ୱାରରେ ହୋଇଥିଲା। ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି। ତେବେ ତାଲିବାନ ଏବଂ ଆଫଗାନ ସରକାର ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ଜାରି ରହିଥିବାବେଳେ ଏହି ଆକ୍ରମଣ ହୋଇଛି। ଦେଶରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ଏହି ଆଲୋଚନା ଚାଲିଛି।

ଘୋର ପ୍ରାନ୍ତୀୟ ଗଭର୍ଣରଙ୍କ କହିବା ଅନୁଯାୟୀ, ଏହି ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ଏହି ଶବ୍ଦ ରାଜଧାନୀ ଫିରୋଜ କୋହ ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଯୋଗୁ କେତେକ ସରକାରୀ ଭବନ ଆଂଶିକ ଭାବେ ଭାଙ୍ଗି ଯାଇଛି। ବିଶେଷକରି ପୋଲିସ ପ୍ରମୁଖ କାର୍ଯ୍ୟାଳୟ, ମହିଳା ବିଭାଗ, ଶରଣାର୍ଥୀଙ୍କ ପାଇଁ ପ୍ରାନ୍ତୀୟ କାର୍ଯ୍ୟାଳୟ ଭାଙ୍ଗି ଯାଇଛି।

 

 

You might also like