ଶବ ପାଖରେ ଚାଲିଛି ରୋଗୀ ଚିକିତ୍ସା: ମହିଳା ବଖାଣିଲେ ମୃତ୍ୟୁ ପୂର୍ବରୁ ରୋଗୀଙ୍କ ଯନ୍ତ୍ରଣାର କାହାଣୀ
ମୁମ୍ୱାଇ: କିଛି ଦିନ ପୂର୍ବରୁ ମୁମ୍ୱାଇର ସାୟନ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ମୃତ ଦେହ ପାଖରେ କରୋନା ରୋଗୀଙ୍କୁ ଚିକିତ୍ସା ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିଭଳି ପୁଣି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟିରେ ଦେଖାଯାଉଛି ଯେ ୱାର୍ଡ ଭିତରେ ଏକ ମୃତ ଶରୀରକୁ ପ୍ଲାଷ୍ଟିକ୍ରେ ପ୍ୟାକ୍ କରି ବେଡ୍ ଉପରେ ରଖାଯାଇଛି। ମୃତଶରୀର ବେଡ୍ ପାଖରେ ଥିବା ଆଉ ଏକ ବେଡ୍ରେ ଅନ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏହି ଭାଇରାଲ୍ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
This is from Rajawadi hospital !
What has really changed or we should just lose hope completely!! pic.twitter.com/Hun3AEWpvZ— nitesh rane (@NiteshNRane) May 24, 2020
ଭିଡିଓରେ ମୃତ ରୀରର ଡାହାଣ ପାର୍ଶ୍ୱରେ ଜଣେ ମହିଳା ବସିଥିବାର ଦେଖାଯାଉଛି। ଏହି ସମୟରେ ସେଠାରେ ଚିକିତ୍ସିତ ହେଉଥିବା ମହିଳା ଜଣଙ୍କ ଭିଡିଓ ପ୍ରସ୍ତୁତ କରି ମରାଠୀରେ କିଛି କହୁଥିବାର ଶୁଣିବାକୁ ମିଳୁଛି।
ମହିଳା ଜଣକ ଶବ ଆଡ଼େ କ୍ୟାମେରା ଦେଖାଇ କହୁଛନ୍ତି, ‘ଏହା ହେଉଛି ରାଜୱାଡ଼ୀ ଡାକ୍ତରଖାନା’। ଏହି ମୃତ ଶରୀରଟି ଜଣେ ମହିଳାଙ୍କର। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶରୀର ୧୧ ରୁ ୧୨ ଘଣ୍ଟା ଧରି ୱାର୍ଡରେ ପଡ଼ି ରହିଛି।’
ଭିଡିଓରେ ମହିଳା ଜଣଙ୍କ ଆହୁରି କହିଛନ୍ତି, ‘ମୃତ୍ୟୁ ହେବା ପୂର୍ବରୁ ମହିଳା ଜଣଙ୍କ ପାଣି ପିଇବା ପାଇଁ ବାରମ୍ୱାର ଡାକ୍ତର କର୍ମଚାରୀଙ୍କୁ ପାଣି ମାଗିଥିଲେ। କିନ୍ତୁ କେହି ତାଙ୍କୁ ପାଣି ଦେଇନଥିଲେ। ଯେତେବେଳେ ମହିଳା ଜଣଙ୍କୁ କୌଣସି କର୍ମଚାରୀ ପାଣି ପିଇବାକୁ ଦେଇନଥିଲେ , ସେତେବେଳେ ମୁଁ ତାଙ୍କୁ ମୋ ବୋତଲରୁ ପାଣି ପିଇବାକୁ ଦେଇଥିଲି। ତାଙ୍କୁ ପାଣି ଦେବାବେଳେ ମୁଁ ଡରି ଯାଇଥିଲି। କାରଣ ମୁଁ ଗ୍ଲୋଭସ୍ କି ମାସ୍କ ପିନ୍ଧି ନଥିଲି। ମୋ ପାଖରେ କୌଣସି ବିକଳ୍ପ ମଧ୍ୟ ନଥିଲା। ହେଲେ ପରେ ଯନ୍ତ୍ରଣା ପାଇ ମହିଳାଙ୍କର ମୃତ୍ୟୁ ଘଟିଥିଲା।’
ଭିଡିଓରେ ସେ ଏହା ମଧ୍ୟ କହିଥିଲେ, ‘ଆମେ କିଛି ଖାଇ ମଧ୍ୟ ପାରୁନାହୁଁ। ଆଖି ସାମ୍ନାରେ ମୃତ୍ୟୁର ଯେମିତି ଖେଳ ଚାଲିଛି। ଏଠାରେ ସିସିଟିଭି କ୍ୟାମେରା ଲଗାଯିବା ଉଚିତ୍, ଯାହାଦ୍ୱାରା ସମସ୍ତେ ଜାଣିପାରିବେ ଯେ ରୋଗୀମାନେ କିଭଳି ରହୁଛନ୍ତି।’ ଘଟଣା ଅନୁସାରେ, ମହିଳାଙ୍କର ମୃତ୍ୟୁ ଘଟିବା ପରେ ମେଡିକାଲ କର୍ମଚାରୀମାନେ ତାଙ୍କ ମୃତଦେହକୁ ପ୍ଲାଷ୍ଟିକ୍ ଜରିରେ ସିଲ୍ କରି ପୁର୍ନବାର ସେହି ବେଡ୍ ଉପରେ ରଖିଦେଇଥିଲେ। ବେଡ୍ ଉପରେ ମୃତଦେହଟି ଅନେକ ସମୟ ଧରି ପଡ଼ି ରହିଥିଲା।
ତେବେ ଏହି ଘଟଣାରେ ଏହାର ତଦନ୍ତ କରାଯିବା ନେଇ କହିଛି ବିଏମସି ପ୍ରଶାସନ। ସରକାରୀ ନିୟମ ଅନୁଯାୟୀ ମୃତଦେହକୁ ୩୦ମିନିଟ୍ ମଧ୍ୟରେ ୱାର୍ଡରୁ ବାହାର କରାଯିବା ଉଚିତ୍। କିନ୍ତୁ ମୃତଦେହକୁ ବାହାର କରିବା ପୂର୍ବରୁ ଅନେକ ଔପଚାରିକତା ପୂରଣ କରିବାକୁ ପଡିଥାଏ, ଏନେଇ ବେଳେବେଳେ ବିଳମ୍ୱ ମଧ୍ୟ ହୋଇଯାଇଥାଏ। ଅନେକ ଥର ମୃତକଙ୍କ ସମ୍ପକୀୟମାନେ ଆସିନଥିବାରୁ ମଧ୍ୟ ବିଳମ୍ୱ ହୋଇଥାଏ। ବୋଲି ପ୍ରଶାସନ କହିଛି।
ଏହି ଭିଡିଓକୁ ବିଜେପି ନେତା ନୀତେଶ ରାଣେ ମଧ୍ୟ ଟ୍ୱିଟ୍ କରି କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ‘ଏହା ପ୍ରକୃତରେ ଏକ ପରିବର୍ତ୍ତନ ନା ଆମେ ବର୍ତ୍ତମାନ ଆଶା ହରାଇବା ଉଚିତ କି?