ରମଜାନ ମାସରେ ଉପବାସ ରହି ଟିକା ନେଇପାରିବେ ତ ? ଫତୱା ଜାରି କଲା ଇଫ୍ତା ଫରଙ୍ଗୀ ମହଲ..

ନୂଆଦିଲ୍ଲୀ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦାରୁଲ ଇଫ୍ତା ଫରଙ୍ଗୀ ମହଲ ଏକ ଫତୱା ଜାରି କରିଛି। ଏଥିରେ କୁହାଯାଇଛି ଯେ ରୋଜା ସମୟରେ ମଧ୍ୟ କରୋନା ଟିକା ନିଆଯାଇପାରିବ। ଦାରୁଲ ଇଫ୍ତା ଫରଙ୍ଗୀ ମହଲ ପକ୍ଷରୁ ସପଷ୍ଟ କରାଯାଇଛି ଯେ, କରୋନା ଟିକା ନେବା ଦ୍ୱାରା ରୋଜା ନଷ୍ଟ ହେବ ନାହିଁ। ରମଜାନ ମାସରେ ଉପବାସ ସମୟରେ ମଧ୍ୟ ଟିକା ନିଆଯାଇପାରିବ।

ଦାରୁଲ ଇଫ୍ତା ଫରଙ୍ଗୀ ମହଲ ପକ୍ଷରୁ ମଙ୍ଗଳବାର ଆହୁରି କୁହାଯାଇଛି ଯେ, କରୋନା ଟିକା ନେବା ଦ୍ୱାରା ଏହା ମଣିଷ ଶରୀରର ଶିରାପ୍ରଶିରାରେ ଚଳନ କରୁଥାଏ, କିନ୍ତୁ ଏହା ପେଟ ଭିତରକୁ ଯାଏ ନାହିଁ। ତେଣୁ ଟିକା ନେବା ଦ୍ୱାରା ରୋଜା ଭଙ୍ଗ ହେବ ନାହିଁ। ମୁସଲମାନ ମାନଙ୍କୁ କେବଳ ରୋଜା ପାଇଁ କରୋନା ଟିକା ନେବାରେ ବିଳମ୍ବ କରିବା ଉଚିତ ନୁହେଁ। ଯଦି ସୁଯୋଗ ମିଳୁଛି ତେବେ ତୁରନ୍ତ ଟିକା ନେବା ଆବଶ୍ୟକ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ନାଗରିକ ଅବଦୁରାଶିଦ୍ କିଦୱାଇ ଦାରୁଲ ଇଫ୍ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ‘ବର୍ତ୍ତମାନ କୋଭିଡ -୧୯ ଭଳି ଭୟଙ୍କର ରୋଗ ଏବେ ଚରମ ସୀମାରେ ରହିଛି। ଏହାକୁ ଏଡାଇବା ପାଇଁ ଇଞ୍ଜେକ୍ସନ୍ ମାଧ୍ୟମରେ ଟିକା ଦିଆଯାଉଛି। ଏହାର ଦୁଇଟି ଡୋଜ୍ ରହିଛି। ପ୍ରଥମ ଡୋଜ ଅନେକ ଦିନ ପୂର୍ବରୁ ଆମେ ନେଇସାରିଛୁ। ଦ୍ୱିତୀୟ ଡୋଜ୍ ରମଜାନ ବେଳେ ଦିଆଯିବ। ତେବେ ରୋଜା ସମୟରେ ଭ୍ୟାକ୍ସିନ ନିଆଯାଇପାରିବ ନା ନାହିଁ ?’

ଏହି ପ୍ରଶ୍ନର ଉତ୍ତରରେ ଦାରୁଲ ଇଫ୍ତା ଫରଙ୍ଗୀ ମହଲ ଏକ ଫତୱା ଜାରି କରିଛି। ଏହି ଫତୱାରେ ରୋଜା ରଖି ମଧ୍ୟ ଟିକା ନେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି। ଏହି ଫତୱାକୁ ନେଇ ମୌଲାନା ମୌଲାନା ଖାଲିଦ ରସିଦ, ମୌଲାନା ନାସରୁଲ୍ଲା, ମୌଲାନା ନଇମୁରହମାନ ସିଦ୍ଦିକି ଏବଂ ମୌଲାନା ମହମ୍ମଦ ମୁସ୍ତାକ୍ ନିଜର ସହମତ ଜଣାଇଛନ୍ତି।

ତେବେ ଦେଶରେ କରୋନା ସଂକ୍ରମଣ ଏପରି ଦ୍ରୁତଗତିରେ ବଢ଼ିବାରେ ଲାଗିଛି ଯେ, ସମସ୍ତଙ୍କ ମନରେ ଭୟ ଓ ଆଶଙ୍କା ଭରି ରହିଛି। ଭ୍ୟାକ୍ସିନ ଅପେକ୍ଷାରେ ସାରା ଦେଶବାସୀ ରହିଛନ୍ତି। ଅନେକ ରାଜ୍ୟରେ କରୋନା ସ୍ଥିତି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଯାହାଫଳରେ ସ୍ଥାନୀୟ ସରକାର ଲକଡାଉନ ଓ ନାଇଟ କର୍ଫ୍ୟୁ ଭଳି ନିୟମ ଲାଗୁ କରିଛନ୍ତି। ଖାଲି ସେତିକି ନୁହେଁ ଅନ୍ୟ କିଛି ରାଜ୍ୟରେ କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ଲକଡାଉନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେପଟେ ରାଜସ୍ଥାନର ଜୟପୁରରେ ଭ୍ୟାକ୍ସିନର ଅଭାବ ଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ଭ୍ୟାକ୍ସିନ ନପାଇ ଲୋକମାନେ ମେଡିକାଲରୁ ନିରାଶ ହୋଇ ଫେରୁଛନ୍ତି।

You might also like