ଅଯୋଧ୍ୟା ମାମଲାରେ କୋର୍ଟରେ ଏମିତି ଯୁକ୍ତି ଉପସ୍ଥାପନ କଲେ ହିନ୍ଦୁ ପକ୍ଷ

ନୂଆଦିଲ୍ଲୀ: ଦୀର୍ଘ ୩୯ ଦିନ ହେଲା ନିୟମିତ ଶୁଣାଣି ହେଉଥିବା ଅଯୋଧ୍ୟା ଜମି ବିବାଦ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ସମ୍ଭବତଃ ଆସନ୍ତାକାଲି ଏହି ନିୟମିତ ଶୁଣାଣି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ। ଆଜି ଶୁଣାଣିର ୩୯ ତମ ଦିନରେ ଏଭଳି ସଙ୍କେତ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ।

ପୂର୍ବରୁ ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠ ଅକ୍ଟୋବର ୧୭ ସୁଦ୍ଧା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହେବ ବୋଲି କହିଥିଲେ। ସେହିପରି ସିଜେଆଇ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଥିବାରୁ ଏହା ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ଓ ବାବ୍ରୀ ମସଜିଦକୁ ନେଇ ଚାଲିଥିବା ବିବାଦର ରାୟ ପ୍ରକାଶ ପାଇବ ବୋଲି କୁହାଯାଉଛି।

ଆଜି ରାମ ଲଲା ବିରଜାମାନ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ କେ ପରାସରନ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, “ହିନ୍ଦୁ ସମୁଦାୟ ଦୀର୍ଘ ବର୍ଷ ହେଲାଣି ଏହି ସ୍ଥାନ ପାଇଁ ଲଢ଼େଇ କରି ଆସୁଛନ୍ତି। ଏଠାରେ ଭଗବାନ ରାମ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାବି କରାଯାଉଛି।

ମୁସଲିମମାନେ ଚାହିଁଲେ ଅଲଗା ମସଜିଦରେ ପ୍ରାର୍ଥନା କରିପାରିବେ। କେବଳ ଅଯୋଧ୍ୟାରେ ୫୦ରୁ ୬୦ଟି ମସଜିଦ ରହିଛି। କିନ୍ତୁ ହିନ୍ଦୁଙ୍କ ପାଇଁ ଏହା ହେଉଛି ଭଗବାନ ରାମଙ୍କ ଜନ୍ମ ସ୍ଥାନ। ଆମେ କେବେ ହେଲେ ଜନ୍ମ ସ୍ଥାନକୁ ବଦଳାଇ ପାରିବୁ ନାହିଁ। ହିନ୍ଦୁଙ୍କ ପାଇଁ ଏହା ଜନ୍ମ ସ୍ଥାନ ହୋଇଥିବା ବେଳେ ମୁସଲିମଙ୍କ ପାଇଁ ଏହା କେବଳ ଏକ ଐତିହାସିକ ମସଜିଦ। ମୁସଲିମଙ୍କ ପାଇଁ ସମସ୍ତ ମସଜିଦ୍‌ ସମାନ। ଆମ ମାନଙ୍କ ପାଇଁ କେବଳ ଜନ୍ମସ୍ଥାନ ଗୁରୁତ୍ୱପୂର୍ଣ୍ଣ।”

ଏହି ସମୟରେ ସିଜେଆଇ ଜଷ୍ଟିସ୍‌ ଗୋଗୋଇ ସ୍ମିତ ହାସ୍ୟ ଦେଇ ମୁସଲିମ ପକ୍ଷର ଓକିଲ ରାଜୀବ ଧବନଙ୍କୁ ଚାହିଁଥିଲେ। ଗତକାଲି ଧବନ ପକ୍ଷ ରଖିବା ବେଳେ କହିଥିଲେ ଯେ ସବୁ ପ୍ରଶ୍ନ କେବଳ ମୁସଲିମମାନଙ୍କୁ କାହିଁକି ପଚରା ଯାଉଛି? ହିନ୍ଦୁଙ୍କୁ କାହିଁକି କିଛି ପଚରା ଯାଉନାହିଁ।

ଉକ୍ତ କଥାକୁ ମନେ ପକାଇ ଜଷ୍ଟିସ୍‌ ଗୋଗୋଇ କହିଥିଲେ, “ଆପଣ ଏବେ ଭାବୁନାହାନ୍ତି କି କୋର୍ଟ ହିନ୍ଦୁ ପକ୍ଷଙ୍କୁ ଅଧିକ ପ୍ରଶ୍ନ ପଚାରୁ ନାହାନ୍ତି କି? ଆମେ କେବଳ ପଚାରୁଛୁ। ଏହାକୁ ଆପଣ ଗୁରୁତ୍ୱର ସହ ନିଅନ୍ତୁ ନାହିଁ। ଆପଣଙ୍କୁ ମନେ ରଖିବାକୁ ହେବ ଯେ ଶୁଣାଣିକୁ ଆଜି ୩୯ ଦିନ ହେଲାଣି।”

ଅଗଷ୍ଟ ୬ରୁ ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ନିୟମିତ ଶୁଣାଣି ଆରମ୍ଭ କରିଥିଲେ। ଦଶହରା ପାଇଁ କୋର୍ଟ କାର୍ଯ୍ୟ ଗୋଟିଏ ସପ୍ତାହ ବନ୍ଦ ଥିଲା। ସୋମବାରଠାରୁ ପୁଣିଥରେ ଶୁଣାଣି ଆରମ୍ଭ ହୋଇଛି। ଗତକାଲି ମୁସଲିମ ପକ୍ଷ ସେମାନଙ୍କୁ ଯୁକ୍ତି ଉପସ୍ଥାପନ କରିଥିଲେ। ୧୯୯୨ ମସିହା ଡିସେମ୍ବର ୬ ପୂର୍ବରୁ ଏଠାରେ ଯେଉଁ ଭଳି ବାବ୍ରୀ ମସଜିଦ ଥିଲା। ଏବେ ଆମେ ସେମିତି ମସଜିଦ ଚାହୁଁଛୁ ବୋଲି ମୁସଲିମଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା।

You might also like