ପ୍ରଚଣ୍ଡ ରୂପ ନେଇ ଗୁଜରାଟ ଆଡକୁ ମାଡ଼ି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ

ଅଶାନ୍ତ ଆରବ ସାଗର,ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଆଲର୍ଟ

  • ତାଉ ଦେଖାଇ ମାଡ଼ି ଚାଲିଛି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ
  • କେରଳରେ ତାଣ୍ଡବ ରଚିଲା ବର୍ଷା, ଗାଁରେ ପଶିଲା ଜୁଆର
  • ୧୮ରେ ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍ ପୂର୍ବାନୁମାନ

ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ବାତ୍ୟା ତାଉତେ । ଅନେକ ରାଜ୍ୟକୁ ଆର୍ଲ ଜାରି କରିଛି ପାଣିପାଗ ବିଭାଗ । ମହାମାରୀ ସହ ଲଢ଼ି ଲଢ଼ି ସ୍ଥିତି ଟିକିଏ ସୁଧୁରିଛି କି ନାହିଁ, ମହାରାଷ୍ଟ୍ର ଓ ଗୁଜରାଟ ଉପରେ ଘୋଟି ଆସିଲାଣି ବାତ୍ୟା ବିପଦ । ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ ଭୟଙ୍କର ରୂପ ନେଇ କୋଙ୍କଣ ତଟ ନିକଟ ଦେଇ ଗତି କରୁଛି । ଏହା ୧୮ ତାରିଖରେ ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ, ଓଡ଼ିଶାରୁ ଏନଡିଆରଏଫ୍ ଟିମ୍ ସୌରାଷ୍ଟ୍ର ଯାଇଛି । ସେପଟେ ଗତରାତିରୁ କେରଳରେ ସତେ ଯେମିତି ଆସନ୍ନ ତାଣ୍ଡବର ଝଲକ୍ ଦେଖାଉଛି ତୌକତେ ।

ଅଶାନ୍ତ ଆରବ ସାଗର । ଆତଙ୍କିତ ପଶ୍ଚିମ ତଟ ମାଟି ଛୁଇଁବା ବହୁ ଆଗରୁ କେରଳରେ ତାଉ ଦେଖାଉଛି ତାଉତେ । ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରର ଉଚ୍ଚ ଲହଡ଼ି ଉପକୂଳ ଅଞ୍ଚଳକୁ ଜଳାର୍ଣ୍ଣବ କରିଛି କୋଚ୍ଚି, ଏର୍ଣ୍ଣାକୁଲମ, ଥିରୁବନନ୍ତପୂରମ୍, କୋଝିକୋଡ଼, ତ୍ରିଶୁର ଆଦିରେ ଗାଁ ଗଣ୍ଡାରେ ପାଣି ପଶି ବନ୍ୟାସ୍ଥିତି ଉପୁଜିଛି । କେଉଁଠି ଗଛ ଭାଙ୍ଗିଛି, ତ ଆଉ କେଉଁଠି ଘରଦ୍ୱାର ଓ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟୁତ ସରବରାହ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଅତି ପ୍ରବଳ ବର୍ଷା ଆଶଙ୍କାରେ ଉତ୍ତର ଓ ମଧ୍ୟ କେରଳର ୯ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଗତ ୨ ଦିନ ହେଲା କେରଳର ବହୁ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ, ଗତରାତିରେ ପ୍ରବଳ ବେଗରେ ପବନ ବହିବା ସହ ସମୁଦ୍ରରୁ ଜୁଆର ମାଡ଼ି ଆସିଥିଲା । ଏଭଳି ସଂଗୀନ ସ୍ଥିତିରେ ଗତରାତିରେ ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ବୋଟ୍କୁ ଠାବ କରି ୩ଜଣଙ୍କୁ ଉଦ୍ଧାର କରିଛି କୋଷ୍ଟଗାର୍ଡ଼ ।

ଏପଟେ କର୍ଣ୍ଣାଟକ ଓ ମୁମ୍ବାଇରେ ପାଗ ବଦଳିବା ସହ ସମୁଦ୍ର ଅଶାନ୍ତ ହେବା ଆରମ୍ଭ କରିଛି ତାଉତେ । ଘନୀଭୂତ ହେଉଥିବାରୁ କେରଳ, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୁଜରାଟକୁ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ତାଉତେ ଉତ୍ତର ଆଡ଼କୁ ଗତି କରୁଛି । ଭୀଷଣ ଘୂର୍ଣ୍ଣିଝଡ଼ ରୂପ ନେବାର ୧୨ ଘଣ୍ଟା ପରେ ଏହା ଅତି ଭୀଷଣ ଘୂର୍ଣ୍ଣିଝଡ଼ ପାଲଟିବ । ଆସନ୍ତା ୧୮ ତାରିଖ ଅପରାହ୍ଣ ବା ସାରେ ଏହା ଗୁଜରାଟର ପୋରବନ୍ଦର ଓ ନଲିୟା ମଝିରେ ଲ୍ୟାଣ୍ଡଫଲ୍ କରିବ । ସେତେବେଳେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି ।

ସମ୍ଭାବ୍ୟ ବିପର୍ଯ୍ୟର ମୁକାବିଲା ପାଇଁ ତଟବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ବେଳେ, ୫ଟି ରାଜ୍ୟରେ ୫୩ଟି ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । କେବଳ ଗୁଜରାଟରେ ୧୫ଟି ଏନଡିଆରଏଫ୍ ଟିମ୍ ରହିବ ।ଭଲସାଡ଼ ଓ ଜାମନଗର ଆଦି ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ କୋଭିଡ୍ ହସ୍ପିଟାଲଗୁଡ଼ିକୁ ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି । ମିଆଁମାରର ପ୍ରସ୍ତାବ ଅନୁସାରେ ଏହି ସାମୁଦ୍ରିକ ଝଡ଼ର ନାଁ ତୌକତେ ରଖାଯାଇଛି । ବର୍ମିଜ୍ ଭାଷାରେ ତାଉତେର ଅର୍ଥ ପ୍ରଚଣ୍ଡ ଶବ୍ଦ କରୁଥିବା ଝିଟିପିଟି ।

You might also like