ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା
ନୂଆଦିଲ୍ଲୀ: ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇ ଗତକାଲି ବିଳମ୍ବିତ ରାତିରେ ପୁଡୁଚେରୀ ନିକଟରେ ବାତ୍ୟା ‘ନିଭାର’ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ପରେ ‘ନିଭାର’ ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହେଉଛି।
ନିଭାର ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଥିଲା। ନିଭାର ପ୍ରଭାବରେ ପୁଡୁଚେରୀ ଓ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। କେତେକ ଅଞ୍ଚଳରେ କ୍ଷୟକ୍ଷତି ମଧ୍ୟ ହୋଇଥିବା ସୂଚନା ମିଳିଛି। ପୁଡୁଚେରୀରେ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଛି।
ସାମୁଦ୍ରିକ ଝଡ଼ ନିଭାର ଲ୍ୟାଣ୍ଡଫଲ୍ ପରେ ଦୁର୍ବଳ ହୋଇ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଆସନ୍ତା ୩ ଘଣ୍ଟାରେ ଏହା ଧୀରେଧୀରେ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ।
‘ନିଭାର’ ପ୍ରଭାବରେ କୁଡ଼ାଲୋରରେ ସର୍ବାଧିକ ୨୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ପୁଡୁଚେରୀରେ ୨୩୭ ମିଲିମିଟର, କାରାଇକାଲ୍ରେ ୮୬ ମିଲିମିଟର ଓ ଚେନ୍ନାଇରେ ୮୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।