ଭୟଙ୍କର ହେଉଛି ବାତ୍ୟା ‘କ୍ୟାର’

ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ସାଇକ୍ଲୋନିକ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘କ୍ୟାର’ ଭୟଙ୍କର ରୂପ ନେଉଛି। ବାତ୍ୟା ‘କ୍ୟାର’ ଏବେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି।  ଓଡ଼ିଶାକୁ ବାତ୍ୟା ଭୟ ନାହିଁ ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ହେଲେ ଏହାର ପ୍ରଭାବ ଗୋଆ ଏବଂ କର୍ଣ୍ଣାଟକ ଉପରେ ରହିଛି।

ଏବେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଘଣ୍ଟାକୁ ୯ କିଲୋମିଟର ବେଗରେ ଏହା  ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।  ଏହି ବାତ୍ୟା ଓମାନ ଉପକୂଳ ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାର ପ୍ରଭାବରେ ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆରବସାଗରର ଯେଉଁ ସ୍ଥାନରେ ବାତ୍ୟା ‘କ୍ୟାର’ କେନ୍ଦ୍ରୀଭୂତ ହୋଇଛି ସେଠାରେ ପବନର ବେଗ ଘଣ୍ଟାପ୍ରତି ୨୧୫ କିଲୋମିଟର ଥିବା ବେଳେ ଆଜି ଅପରାହ୍ଣ ସୁଦ୍ଧା ଏହାର ବେଗ ବଢି ୨୪୦ କିଲୋମିଟରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ ଉପକୂଳରେ ଆଜି ୫୦ କିଲୋମିଟର ବେଗରେ ପବନ ବହିପାରେ। ଦକ୍ଷିଣ ଗୁଜରାଟରେ ବି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

କର୍ଣ୍ଣାଟକ ସରକାର ସମସ୍ତ ଉପକୂଳ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରିଛନ୍ତି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ତଟରକ୍ଷୀ ବାହିନୀକୁ ସଜାଗ ରଖାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରି ଆସିବାକୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଖାଲି ଏତିକି ନୁହେଁ କାଳେ କେହି ସମୁଦ୍ରରେ ରହିଯାଇଥିବେ ସେଥିଲାଗି ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିପାଇଁ ତଟରକ୍ଷୀ ବାହିନୀର ୧୦ଟି ଜାହାଜ, ୨ଟି ଚେତକ ହେଲିକପ୍ଟର ମୁତୟନ ହୋଇଛନ୍ତି। ଏତଦ୍‌ବ୍ୟତୀତ ୨୧ଶହ ବୋଟକୁ ପ୍ରସ୍ତୁତ ରଖାଯାଇଛି।

You might also like