କାଲି ଲ୍ୟାଣ୍ଡ୍ଫଲ୍ କରିପାରେ ବାତ୍ୟା ‘ବୁରେଭି’, ରେଡ୍ ଓ୍ୱାର୍ଣ୍ଣିଂ ଜାରି
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ବାତ୍ୟାର ନାଁ ‘ବୁରେଭି’ ରଖାଯାଇଛି। ଆସନ୍ତାକାଲି ସକାଳେ ଏହା ତାମିଲନାଡୁ ଅତିକ୍ରମ କରିବାର ଆଶଙ୍କା ରହିଛି।
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ‘ବୁରେଭି’ ଆଜି ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରି ଏହା ପଶ୍ଚିମ ଦିଗରେ ଗତି କରିବ। ଏହାପରେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ମୁହାଁ ହେବ।
ଆସନ୍ତାକାଲି ସକାଳେ ‘ବୁରେଭି’ କନ୍ୟାକୁମାରୀ ଓ ପମ୍ବାନ ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେରଳରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଥିପାଇଁ କେରଳର ୪ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ବାତ୍ୟା ମୁକାବିଲାର ସ୍ଥିତି ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଲୋଚନା କରିଛନ୍ତି। ଆଜିଠାରୁ ଦକ୍ଷିଣ ତାମିଲନାଡୁ ଓ ଦକ୍ଷିଣ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ଆକଳନ କରିଛି। ତାମିଲନାଡୁର ବିଭିନ୍ନ ସ୍ଥାନରେ ଏନଡିଆରଏଫ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି।