• translate
Rajalaxmi Sahoo

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ୍ ବାତ୍ୟା ‘ବୁରେଭି’ର ରୂପ ନେଇଛି। ଆଜି ସନ୍ଧ୍ୟା କିମ୍ବା ରାତିରେ ‘ବୁରେଭି’ ଶ୍ରୀଲଙ୍କା ଉପକୂଳ ତ୍ରିନକୋମାଲି ଦେଇ ଅତିକ୍ରମ କରିପାରେ। ଏହି ସମୟରେ ଘଣ୍ଟା ପ୍ରତି ୭୫-୮୫ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। 

ଆସନ୍ତାକାଲି ‘ବୁରେଭି’ ଗଲ୍ଫ ଅଫ୍ ମାନାର୍ ଦେଇ ୪ ତାରିଖରେ ଏହା ତାମିଲନାଡୁରେ ଲ୍ୟାଣ୍ଡଫଲ୍‌ କରିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ପଢ଼ନ୍ତୁ: ଉପହାର ଦେଇ ଗଲା ବାତ୍ୟା ‘ନିଭାର’, ସମୁଦ୍ରକୂଳରୁ ମିଳିଲା ସୁନା ଖଣ୍ଡ

ଏହାର ପ୍ରଭାବରେ ଡିସେମ୍ବର ୨ ଓ ୩ରେ କନ୍ୟାକୁମାରୀ, ତିରୁନେଲଭେଲି, ଥୋଥୁକୁଡି, ଟେନକାସୀ, ରାମନାଥପୁରମ୍ ଏବଂ  ତାମିଲନାଡୁର ସିଭାଗଙ୍ଗାଇରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। 

ରାମେଶ୍ୱରମ୍‌ରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାମେଶ୍ୱରମ୍ ଉପକୂଳରେ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି। ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ରାସନ୍ ସାମଗ୍ରୀ ମହଜୁଦ୍ ରଖିବାକୁ କୁହାଯାଇଛି। ତେବେ ଏହା ଅଧିକ ମାତ୍ରାରେ ଶ୍ରୀଲଙ୍କାରେ କ୍ଷୟକ୍ଷତି କରିପାରେ ବୋଲି ଆଶଙ୍କା କରାଯାଉଛି। ବାତ୍ୟା ‘ବୁରେଭି’ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। 

ସୂଚନାଥାଉ କି, ନଭେମ୍ବର ୨୫ ବିଳମ୍ବିତ ରାତିରେ ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇ ପୁଡୁଚେରୀ ନିକଟରେ ବାତ୍ୟା ‘ନିଭାର’ ଲ୍ୟାଣ୍ଡଫଲ୍‌ କରିଥିଲା।

 

Other Stories