ସିଟି ସ୍କାନ କଲେ ହୋଇପାରେ କ୍ୟାନସର?

ନୂଆଦିଲ୍ଲୀ: କୋଭିଡ୍ ଚିକିତ୍ସାକୁ ନେଇ ଏମ୍ସ ନିର୍ଦ୍ଦେଶକ ଦେଲେ ବଡ଼ ସୂଚନା। ଅଯଥାରେ ସିଟି ସ୍କାନ ନ କରିବାକୁ ପରାମର୍ଶ ଦେଲେ ଗୁଲେରିଆ। ସିଟି ସ୍କାନ ଶରୀର ପାଇଁ କ୍ଷତିକାରକ; କ୍ୟାନସର ହେବାର ବିପଦ ରହିଛି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଥରେ ସିଟି ସ୍କାନ ୩ ଶହ ଥର ଛାତି ଏକ୍ସ-ରେ ସହ ସମାନ। ସ୍ୱଳ୍ପ ଲକ୍ଷଣ ଥିଲେ ସିଟି ସ୍କାନର ଆବଶ୍ୟକତା ନାହିଁ। ବାୟୋମାର୍କର ଟେଷ୍ଟ ବି ସମସ୍ତଙ୍କୁ ନ କରିବାକୁ ପରାମର୍ଶ ଦେଲେ ଗୁଲେରିଆ।

ତେବେ କରୋନା ବଢୁଥିବା କାରଣରୁ ଏବେ ଚିନ୍ତାରେ ଅଛନ୍ତି ଲୋକେ। ସେପଟେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରେସମିଟ୍ କରିଛି। ୧୨ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ୍ କେସ୍ ରହିଛି ବୋଲି ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ। କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ତେଲେଙ୍ଗାନାରେ ସଂକ୍ରମଣ କମିଛି। ଏହାସହ ଆସାମ, ବିହାର, ପଶ୍ଚିମବଙ୍ଗରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଦେଶରେ କରୋନା ମୃତ୍ୟୁହାର ୧.୧୦ ପ୍ରତିଶତ ରହିଛି ।

ଗ୍ୟାସୀୟ ଅକ୍ସିଜେନକୁ ମେଡିକାଲ ଅକ୍ସିଜେନ୍ କରିବାକୁ ବିଚାର ଚାଲିଥିବା ବେଳେ ଦେଶରେ ୧୫୦୦ଟି ପ୍ଲାଣ୍ଟ ପାଇଁ କାର୍ଯ୍ୟ ଚାଲୁ ରହିଛି ବୋଲି ପ୍ରେସମିଟ୍‌ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ତେବେ ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ଅଛି, ଭୟଭୀତ ହୁଅନ୍ତୁ ନାହିଁ ବୋଲି ମନ୍ତ୍ରଣାଳୟ କହିଛନ୍ତି।

You might also like