ପ୍ରଥମ ସିଆରପିଏଫ୍‌ ଅଧିକାରୀଙ୍କ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଜଣେ ୫୫ ବର୍ଷିୟ ସିଆରପିଏଫ୍‌(CRPF) ଅଧିକାରୀଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି।  CRPF ରେ କୋଭିଡ -୧୯ ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଏହା ହେଉଛି ପ୍ରଥମ। ମୃତ ଯବାନ ଜଣଙ୍କ ସିଆରପିଏଫ୍‌ରେ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାଁ ମହମ୍ମଦ ଇକ୍ରାମ ହୁସେନ୍‌।

କିଛି ଦିନ ପୂର୍ବରୁ ସେ କରୋନା ଭାଇରସରେ ସଂକ୍ରମିତ ହୋଇ ସଫଦରଜଙ୍ଗ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସିଆରପିଏଫ୍‌ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି ଯେ,  ଭାଇରସ ସହ ଲଢ଼ି ସିଆରପିଏଫ୍‌ ଯବାନ ମହମ୍ମଦ ଇକ୍ରାମ ହୁସେନ୍‌ଙ୍କ ମୃତ୍ୟୁ ଖବର, ମୋତେ ଗଭୀର ଦୁଃଖିତ କରିଛି। ହୁସେନ୍‌ ଶେଷ ପର୍ଯ୍ୟନ୍ତ କରୋନା ମହାମାରୀ ବିରୋଧରେ ଲଢ଼େଇ କରିଥିଲେ। ଦେଶ ପ୍ରତି ତାଙ୍କର ସେବା ଓ ବଳିଦାନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି।

ଅମିତ ଶାହା ଅନ୍ୟ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ମୁଁ ଗୋଟିଏ ଦିନ ପୂର୍ବରୁ ସବ୍-ଇନ୍ସପେକ୍ଟର ଇକ୍ରାମ ହୁସେନ୍‌ଙ୍କ ପରିବାରକୁ ଫୋନ୍‌ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିଥିଲେ। ତାଙ୍କପରି ଜଣେ ସାହାସୀ ଯବାନଙ୍କୁ ହରାଇବା ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଏଭଳି ଦୁଃଖ ସମୟରେ ସମଗ୍ର ଦେଶ ଏବଂ କେନ୍ଦ୍ର ସରକାର ତାଙ୍କ ପରିବାର ସହିତ ଛିଡା ହୋଇଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ସବ୍-ଇନ୍ସପେକ୍ଟର କୋଭିଡ -୧୯ରେ ସଂକ୍ରମିତ ହୋଇ ମଙ୍ଗଳବାର ଦିନ ମୃତ୍ୟୁବରଣ କରିଥିଲେ। ସେ ଦିଲ୍ଲୀ ସ୍ଥିତ ୩୧ ତମ ବାଟାଲିୟନରେ କାର୍ଯ୍ୟ କରୁଥିଲେ। ସେ କହିଛନ୍ତି ଯେ ହୁସେନ୍‌ ଆସାମର ବାରପେଟା ଜିଲ୍ଲାର ବାସିନ୍ଦା। ହୁସେନ୍‌ ପୂର୍ବରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ। କରୋନା ଭାଇରସ ସଂକ୍ରମଣ ଯୋଗୁ ଅନ୍ୟ ୩୧ଜଣ ବାଟାଲିୟନ କର୍ମଚାରୀଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

You might also like