କେମିତି ଅପହରଣ ହେଲେ କୋବ୍ରା କମାଣ୍ଡୋ?

ବିଜାପୁର: ୪ ଦିନ ହେଲାଣି ମାଓ କବ୍‌ଜାରେ CRPF କୋବ୍ରା ୟୁନିଟ୍ ଯବାନ ରାକେଶ୍ୱର ସିଂ ମାନହସ୍‌। ମାଓ କ୍ୟାମ୍ପରୁ ଇଏ ତାଙ୍କରି ପ୍ରଥମ ଫଟୋ, ଯାହାକୁ ଜାରି କରିଛନ୍ତି ନକ୍ସଲ। ହେଲେ ନକ୍ସଲଙ୍କ ଦାବି ମୁତାବକ ସରକାର ତାଙ୍କୁ ମୁକୁଳାଇବା ପାଇଁ କାହାକୁ ମଧ୍ୟସ୍ଥ କରୁଛନ୍ତି କିମ୍ବା ଅନ୍ୟ କେଉଁ ପଦକ୍ଷେପ ନେଉଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। କେବଳ, ଛତିଶଗଡ଼ ସରକାର ଜଣେ ସମାଜସେବୀଙ୍କୁ ମଧ୍ୟସ୍ଥ ଭାବେ ପଠାଇବା ଲାଗି ଯୋଜନା କରୁଥିବା ସୂଚନା ମିଳିଛି। ସେପଟେ ଜମ୍ମୁ ବାସିନ୍ଦା ରାକେଶ୍ୱରଙ୍କୁ ନକ୍ସଲ କବ୍‌ଜାରୁ ଉଦ୍ଧାର କରିବାକୁ ଜୋର୍ ଧରିଛି ଦାବି। ସରକାରଙ୍କ ତ୍ୱରିତ ପଦକ୍ଷେପ ଦାବିରେ ତାଙ୍କ ପରିବାର ଓ ଗାଁଲୋକେ ଆଜି ଜମ୍ମୁରେ ରାସ୍ତାକୁ ଓହ୍ଲାଇଛନ୍ତି।

ସେପଟେ ବିଜାପୁରର ଏହି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ସେଦିନ ଅପରେସନ୍‌ର ଭାଗ ନେଇଥିବା କିଛି ଯଓ୍ୱାନ୍ ସେମାନଙ୍କୁ ଓଟିଭି ଟିମ୍ ଭେଟିବା ବେଳେ ଆମକୁ ମିଳିଥିଲେ ଅପହୃତ କୋବ୍ରା କମାଣ୍ଡୋ ରାକେଶ୍ୱରଙ୍କ ସାଥୀ ଜଓ୍ୱାନ୍। ସେ ବଖାଣିଥିଲେ ଶନିବାର ଦିନ ଅପରସେନ୍ ବେଳେ ପୋଲିସ୍-ମାଓବାଦୀ ଫାୟାରିଂ ଭିତରେ ଜଳାଭାବରୁ ନିସ୍ତେଜ ହୋଇପଡ଼ିଥିବା ତଥା ନିରସ୍ତ୍ର ଥିବା କମାଣ୍ଡୋ ରାକେଶ୍ୱରଙ୍କୁ କେମିତି ମାଓବାଦୀ ଅପହରଣ କଲେ।

ଛତିଶଗଡ଼ ବିଜାପୁର ମାଓ ହମ୍‌ଲାକୁ ୪ ଦିନ ବିତିଲାଣି। ଘରର ବୀରପୁଅକୁ ଝୁରୁଛନ୍ତି ସହିଦଙ୍କ ପରିବାର। ସେପଟେ ଭୀଷଣ ଚିନ୍ତାରେ ଘାରି ହେଉଛନ୍ତି ନକ୍ସଲ ବନ୍ଧକ ରଖିଥିବା CRPF କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମାନହସଙ୍କ ଜମ୍ମୁସ୍ଥିତ ପରିବାର। ଏପଟେ ରାକେଶ୍ୱରଙ୍କ ଫଟୋ ଜାରି କରି ସେ ସୁସ୍ଥ ଓ ସୁରକ୍ଷିତ ଥିବା ଜଣାଇଛନ୍ତି ନକ୍ସଲ। ଏ ଭିତରେ ବିଜାପୁର ଟେକଲଗୁଡ଼ାରରେ ସେଦିନ ପୋଲିସ୍-ମାଓବାଦୀ ଫାୟାରିଂ ଭିତରେ ଜଳାଭାବରୁ ନିସ୍ତେଜ ହୋଇପଡ଼ିଥିବା କମାଣ୍ଡୋ ରାକେଶ୍ୱରଙ୍କୁ କେମିତି ମାଓବାଦୀ ଅପହରଣ କଲେ ସେ ନେଇ ଓଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ସାଥୀ ଯଓ୍ୱାନ୍।

ଛତିଶଗଡ଼ ବିଜାପୁର ଠାରୁ ୭୦ କିଲୋମିଟର ଦୂର ଜଙ୍ଗଲି ଗାଁ ଟେକଲଗୁଡ଼ା, ଯେଉଁଠି ଗତ ଶନିବାର ୫ ଘଣ୍ଟା ଧରି ବର୍ଷିଥିଲା ନିଆଁ ଓ ବାରୁଦ। ଗୁଳି ଓ ବୋମାର ଆଓ୍ୱାଜ ଭିତରେ ନିରବି ଯାଇଥିଲା ଅନେକଙ୍କ ଶେଷଚିତ୍କାର। ଘଟଣାର ୪ ଦିନ ପରେ ଓଟିଭି ଟିମ୍ ଗ୍ରାଉଣ୍ଡ୍ ଜିରୋରେ ପହଞ୍ଚିବା ବେଳକୁ, ଏଣେ ତେଣେ ପଡ଼ିଥିଲା ଅସଂଖ୍ୟ ଖୋକା ଓ ଗଛରେ ତାଜା ଥିଲା ଅଗଣିତ ଗୁଳି ଚିହ୍ନ।

ଏବେବି ଆତଙ୍କିତ ଥିବା ଟେକଲଗୁଡ଼ା ବାସିନ୍ଦାଙ୍କ କହିବା କଥା, ସେଦିନ ୧୧ଟାରୁ ଅପରାହ୍ଣ ୪ଟା ଯାଏଁ ଫାୟାରିଂ ଚାଲିଥିଲା। ହେଲେ ମାଓବାଦୀଙ୍କ ପୂର୍ବ ଚେତାବନୀ ପାଇ ସେମାନେ ସକାଳୁ ଗାଁ ଛାଡ଼ିଦେଇଥିଲେ। ସଧ୍ୟାରେ ଘରକୁ ଫେରିବା ବେଳକୁ ଚାରିଆଡ଼େ ଯବାନଙ୍କ ମୃତଦେହ ବିଛାଡ଼ି ହୋଇ ପଡ଼ିଥିଲା। ଗୁଳିବିିନିମୟରେ ଗାଁଲୋକଙ୍କୁ କ୍ଷତି ପହଞ୍ଚିନଥିଲେ ବି ଦଶମ ଶ୍ରେଣୀର ଛାତ୍ରୀ ପୂଜାଙ୍କ ପାଠପଢ଼ାରେ ସମସ୍ୟା ଉପୁଜିଛି। ସାଇକେଲ୍ ଚକ ଓ ସୋଲାର ଲାଇଟ୍ରେ ଗୁଳି ବାଜିଥିବାରୁ, ଏବେ ନା ୧୨ କିଲୋମିଟର ଦୂର ସ୍କୁଲକୁ ଯାଇ ହେଉଛି, ନା ଘରେ ରାତିରେ ପାଠ ପଢିହେଉଛି।

ରିପୋର୍ଟ: ଜିତେନ୍ଦ୍ର ବେଉରା

You might also like