ଝିଅ ଓ ପତ୍ନୀ ସହ ୨୧ ପିଲାଙ୍କୁ ବନ୍ଧୁକ ଦେଖାଇ ବନ୍ଦୀ କଲା ହତ୍ୟା ଅଭିଯୁକ୍ତ

ଫାରୁକାବାଦ: ଉତ୍ତର ପ୍ରଦେଶର ଫାରୁକାବାଦ ଜିଲ୍ଲାର ମହମ୍ମଦ କଠାରିଆ ଗାଁର ଜଣେ ହତ୍ୟା ଅଭିଯୁକ୍ତ ନିଜର ବର୍ଷକର ଝିଅ ପତ୍ନୀଙ୍କ ସହିତ ୨୦ ଜଣ ପିଲାଙ୍କୁ ନିଜ ଘରେ ବନ୍ଦି ରଖିଛି। ବନ୍ଧୁକ ମୁନରେ ସେମାନଙ୍କୁ ଡରାଇବା ସହିତ ମଝିରେ ମଝିରେ ଫାଇରିଂ ବି କରୁଛି। ଝିଅର ଜନ୍ମଦିନ ପାଳନ କରିବା କହି ଡାକି ନେଇ ହଠାତ୍‌ ସେମାନଙ୍କୁ ଘରେ ବନ୍ଦି କରି ରଖିଛି।

ତେବେ ପଣବନ୍ଦୀ ପିଲାମାନଙ୍କୁ ଉଦ୍ଧାର ପାଇଁ ଉକ୍ତ ଘରକୁ ଘେରି ରହିଛନ୍ତି ଏସଟିଏଫ୍ କମାଣ୍ଡୋ। ଏହି ହତ୍ୟା ଅଭିଯୁକ୍ତ ବ୍ୟକ୍ତି ଜଣକ ବେଲ୍‌ରୁ ବାହାରକୁ ଆସିଥିଲେ।

ତେବେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଅପହରଣକାରୀ ସହିତ କଥାବାର୍ତ୍ତା କରି ତାର ନାଁ ସୁଭାଷ ବଥାମ ବୋଲି ଜାଣିବାକୁ ପାଇଛି ପୁଲିସ।

ଏହି ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏଥିରେ ମୁଖ୍ୟ ସଚିବ, ଗୃହମନ୍ତ୍ରାଳୟର ପ୍ରିନ୍ସିପାଲ୍‌ ସେକ୍ରେଟାରୀ, ଡିଜିପ, ଏଡିଜିପିଙ୍କ  ଭଳି ପଦାଧିକାରୀ ବୈଠକରେ ଯୋଗ ଦେଇଛନ୍ତି। ଏଥିସହିତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଛନ୍ତି ଯୋଗୀ ଆଦିତ୍ୟ ନାଥ।

ଦୀର୍ଘ ୫ ଘଣ୍ଟା ଧରି ପଣବନ୍ଦି ଥିବା ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ନାକେଦମ୍‌ ହୋଇଗଲାଣି ପୁଲିସ।

ପୁଲିସ୍‌ର କହିବାନୁସାରେ, ଅଭିଯୁକ୍ତ ଝିଅର ଜନ୍ମଦିନ ପାଳନ କରିବା ପାଇଁ ପଡ଼ୋଶି ପିଲାଙ୍କୁ ତା ଘରକୁ ଆମନ୍ତ୍ରଣ କରିଥିଲା। ସମସ୍ତେ ଘର ଭିତରକୁ ପଶିଲା ପରେ ଅଭିଯୁକ୍ତ ତୁରନ୍ତ ସେମାନଙ୍କୁ ବନ୍ଧୁକ ଦେଖାଇ ବନ୍ଦି କରିନେଇଥିଲା। ଏହି ବନ୍ଦିମାନଙ୍କ ଭିତରେ ଅଭିଯୁକ୍ତ ପତ୍ନି ଓ ବର୍ଷକର ଝିଅ ବି ରହିଛି।

ଅଭିଯୁକ୍ତ ସୁଭାଷ ବାଥମ୍

ତେବେ ଅନେକ ସମୟ ବିତିଯିବା ପରେ ପିଲାମାନେ ଘରକୁ ନ ଫେରିବାରୁ କିଛି ପଡ଼ୋଶୀ ସୁଭାଷଙ୍କ ଘରକୁ ଆସି କବାଟ୍ ବାଡ଼େଇଥିଲେ। ସେମାନଙ୍କ ମଧ୍ୟରୁ ସତିଶ ଚନ୍ଦ୍ର ଦୁବେ ନାମକ ଜଣେ ବ୍ୟକ୍ତି ବୁଝାଇବା ପାଇଁ ଯିବା ବେଳେ ତାଙ୍କ ଉପରେ ଗୁଳି ଚଳାଇଥିଲା ସୁଭାଷ। ଗୁଳି ସତିଶଙ୍କ ଗୋଡ଼ରେ ବାଜିଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସୁଭାଷର ଗୁଳି ଚଳାଇବାରୁ  ଡରିଯାଇ ପଡ଼ୋଶୀ ସେଠୁ ପଳାଇ ଯାଇ ପୁଲିସ୍‌କୁ ଖବର ଦେଇଥିଲେ।

ତେବେ ଖବର ପାଇ ପୁଲିସ୍‌ର ପିସିଆର ଭ୍ୟାନ୍‌ ସେଠାରେ ପହଞ୍ଚିବାରୁ ସୁଭାଷ ଛାତ ଉପରୁ ଭ୍ୟାନ୍‌ ଉପରେ ଗୁଳି ଚଳାଇବା ସହିତ ହାତ ତିଆରି ବୋମା ମଧ୍ୟ ପିଙ୍ଗିଥିଲା ବୋଲି ପୁଲିସ୍‌ କହିଛି।

ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ କାନପୁର ଜୋନ୍‌ର ଇନିସପେକ୍ଟର ଜେନେରାଲ୍‌ଙ୍କ ନେତୃତ୍ୱରେ ଆଣ୍ଟି ଟେରୋରିସିମ୍ ସ୍କ୍ୱାର୍ଡର କମାଣ୍ଡୋମାନେ ଘଟଣା ସ୍ଥଳରେ ଜଗି ରହିଛନ୍ତି।

ବନ୍ଦିଥିବା ସମସ୍ତ ପିଲମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପୁଲିସ୍ ସଚେତନତାର ସହିତ ଅପରେସନ ଚଲାଇଛି। ତାଲିମ୍‌ ପ୍ରାପ୍ତ ସ୍ୱାତନ୍ତ୍ର ଟିମ୍‌କୁ ମୁତୟନ କରାଯାଇଛି। କୌଣସି କ୍ଷତି ନ ହୋଇ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଉତ୍ତର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି। ଏଥିସହିତ ସ୍ଥାନୀୟ ବିଧାୟକ ମଧ୍ୟ ଅଭିଯୁକ୍ତ ସହିତ କଥାବାର୍ତ୍ତା କରିଥିବା ସୂଚନା ମିଳିଛି।

You might also like