ଡଙ୍ଗାରେ ବସି ପକ୍ଷୀଙ୍କୁ ଖାଦ୍ୟ ଖୁଆଇଲେ ଶିଖର ଧୱନ, ଅଡ଼ୁଆରେ ପଡ଼ିପାରନ୍ତି ଡଙ୍ଗା ଚାଳକ

ବାରାଣସୀ: ନିକଟରେ ଭାରତୀୟ କ୍ରିକେଟର ଶିଖର ଧୱନ୍‌ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେଆର କରିଥିଲେ। ଉତ୍ତରପ୍ରଦେଶ ବାରାଣସୀରେ ଏକ ଡଙ୍ଗାରେ ବସି ପକ୍ଷୀମାନଙ୍କୁ ସେ ଖାଦ୍ୟ ଖୁଆଉଥିବା ଦେଖିବାକୁ ମିଳିଥିଲା। ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି କ୍ୟାପ୍‌ସନ୍‌ରେ ଶିଖର ଧୱନ ଲେଖିଥିଲେ, ‘ପକ୍ଷୀମାନଙ୍କୁ ଖାଦ୍ୟ ଖୁଆଇବାରେ ଖୁସି ମିଳିଥାଏ।’

ବାର୍ଡ ଫ୍ଲ୍ୟୁ ଯୋଗୁ ପକ୍ଷୀମାନଙ୍କୁ ଖାଦ୍ୟ ଖୁଆଇବା ଉପରେ ବାରାଣସୀ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା। ହେଲେ ଡଙ୍ଗା ଚାଳକ ଶିଖର ଧୱନଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରିଥିବାରୁ, ଏଥିପାଇଁ ଡଙ୍ଗା ଚାଳକ ଜଣକ ଅସୁବିଧାରେ ପଡ଼ିପାରନ୍ତି ବୋଲି ଜଣାପଡ଼ିଛି।

ବାରାଣସୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ କୌଶଲ୍‌ ରାଜ୍‌ ଶର୍ମା ନ୍ୟୁଜ୍‌ ଏଜେନ୍ସି ANIକୁ ସୂଚନା ଦେଇ କହିଛନ୍ତି, ସମ୍ପୃକ୍ତ ଡଙ୍ଗା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ ଡଙ୍ଗା ଚାଳକ ଜଣକ ପ୍ରଶାସନର ଗାଇଡ୍‌ଲାଇନ୍ସକୁ ଭଙ୍ଗ କରି ବାର୍ଡ ଫ୍ଲ୍ୟୁ ସମୟରେ ପର୍ଯ୍ୟଟକମାନଙ୍କୁ ବୋଟ୍‌ରେ ପକ୍ଷୀମାନଙ୍କୁ ଖାଦ୍ୟ ଖୁଆଇବା ଅନୁମତି ଦେଇଥିଲେ। ତେବେ ଏଭଳି କ୍ଷେତ୍ରରେ ଟୁରିଷ୍ଟମାନେ ଯେପରିକି ଶିଖର ଧୱନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କୌଶଲ୍‌ ରାଜ୍‌ ଶର୍ମା ସ୍ପଷ୍ଟ କରିଛନ୍ତି।

ସେ ଆହୁରି କହିଛନ୍ତି, ଆମକୁ ପୂର୍ବରୁ ସୂଚନା ମିଳିଥିଲା ଯେ, କିଛି ଡଙ୍ଗା ଚାଳକ ପ୍ରଶାସନର ନିୟମ ମାନୁ ନାହାନ୍ତି। ଫଳରେ ଟୁରିଷ୍ଟମାନେ ଡଙ୍ଗାରେ ବସି ପକ୍ଷୀମାନଙ୍କୁ ଖାଦ୍ୟ ଖୁଆଉଛନ୍ତି। ତେଣୁ ଏଭଳି ଡଙ୍ଗା ଚାଳକଙ୍କୁ ଚିହ୍ନଟ କରାଯାଉଛି। ସାଧାରଣତଃ ଟୁରିଷ୍ଟମାନେ ଏହି ଘଟଣା ସମ୍ପର୍କରେ ଜାଣି ନଥାନ୍ତି।

‘ପୋଲିସ୍‌ ଓ ପ୍ରଶାସନ ପକ୍ଷରୁ ଡଙ୍ଗା ଚାଳକଙ୍କୁ ସ୍ପଷ୍ଟ ଭାବରେ କୁହାଯାଇଥିଲା, ସେମାନେ ଟୁରିଷ୍ଟମାନଙ୍କୁ ଡଙ୍ଗାରେ ପକ୍ଷୀଙ୍କୁ ଖାଦ୍ୟ ଖୁଆଇବାକୁ ଅନୁମତି ଦେବେ ନାହିଁ। ଆଉ ଯେଉଁମାନେ ଏହି ନିୟମ ନମାନିବେ ସେମାନଙ୍କୁ ନୋଟିସ୍‌ ଜାରି କରାଯିବ। ଏପରିକି ଲାଇସେନ୍ସ କାହିଁକି ବାତିଲ୍‌ ହେବ ନାହିଁ, ସେନେଇ ଡଙ୍ଗା ଚାଳକ ଉତ୍ତର ମଧ୍ୟ ରଖିବେ। ତେବେ ଟୁରିଷ୍ଟ୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ’ ବୋଲି ବାରାଣସୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି।

You might also like