ଶ୍ମଶାନରେ ମିଳିଲାନି ଜାଗା; ମୃତଦେହ ବାହାରେ ରଖି ଚାଲି ଆସିଲେ ସମ୍ପର୍କୀୟ, ଶେଷରେ…

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ କରୋନା ପାଇଁ ଧୀରେ ଧୀରେ ମରି ଯାଉଛି ମାନବିକତା। କେଉଁଠି  ପରିଜନମାନେ ପଚାରୁ ନଥିବାବେଳେ ଆଉ କେଉଁଠି ସୁଖଦୁଃଖର ସାଥୀ ବୋଲି ଯାହାକୁ ଭାବୁଥିଲେ, ସେମାନେ ମଧ୍ୟ ମୁହଁକୁ ଟିକେ ଅନାଉ ନାହାନ୍ତି। ବାଡ଼ ସୃଷ୍ଟି କରୁଛି ସଂକ୍ରମଣ ଭୟ। ଆଉ ଧୀରେ ଧୀରେ ହଜି ଯାଉଛି ମାନବିକତା। ଏଭଳି ସମୟରେ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଶ୍ମଶାନରେ ଶବ ପୋଡ଼ିବା ପାଇଁ ଜାଗା ନମିଳିବାରୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଥିବା ମୃତଦେହକୁ ଶ୍ମଶାନ ବାହାରେ ଛାଡ଼ି ଚାଲି ଆସିଥିଲେ ସମ୍ପର୍କୀୟମାନେ। ଏହାପରେ ରାତି ୧୨ଟାରେ ସଫେଇ କର୍ମଚାରୀ ଶବର ଅନ୍ତିମ ସଂସ୍କାର କରିଥିଲେ। ଉତ୍ତରପ୍ରଦେଶ ଏହି ଘଟଣା ଘଟିଛି।

ଉତ୍ତରପ୍ରଦେଶ ଲକ୍ଷ୍ନୌରେ କରୋନା ସଂକ୍ରମଣ ଦିକନୁ ଦିନ ବଢ଼ିବାରେ ଲାଗିଛି। ଏପରିକି ଶ୍ମଶାନରେ ଶବ ପୋଡ଼ିବା ପାଇଁ ମଧ୍ୟ ଜାଗା ନାହିଁ। ଏଥିପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ନୌର ଆଲମ୍‌ବାଗ ସ୍ଥିତ ଏକ ଶ୍ମଶାନରେ କୋଭିଡ୍‌ ଆକ୍ରାନ୍ତରେ ମୃତ୍ୟୁ ଘଟିଥିବା ମୃତଦେହର ଅନ୍ତିମ ସଂସ୍କାର କରିବା ଲାଗି ଲୋକଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ୁଛି। ଏଠାରେ ପ୍ରତ୍ୟେକ ଦିନ ପାଖାପାଖି ୬୦ ଶବ ପୋଡ଼ା ଯାଉଛି। ଫଳରେ ଶ୍ମଶାନରେ ଶବ ପୋଡ଼ିବା ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଲୋକମାନେ ମୃତଦେହକୁ ଶ୍ମଶାନ ବାହାରେ ରଖି ଘରକୁ ଚାଲି ଆସୁଛନ୍ତି।

ଏହି ଶ୍ମଶାନରେ ମୃତଦେହ ଅନ୍ତିମ ସଂସ୍କାର ପାଇଁ ଲୋକଙ୍କୁ ସାହାଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସନ୍ଧ୍ୟାରେ କିଛି ଲୋକ ଅନ୍ତିମ ସଂସ୍କାର ପାଇଁ ଗୋରଖପୁରରୁ ଆସିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ହେଲେ ଏହି ସମୟରେ ଶବ ପୋଡ଼ିବା ପାଇଁ ଶ୍ମଶାନରେ ଜାଗା ନଥିଲା। ଏଥିପାଇଁ ସେମାନଙ୍କୁ ଅପେକ୍ଷା କରିବା ପାଇଁ କୁହାଯାଇଥିଲର। ହେଲେ କିଛି ସମୟ ପରେ ଦେଖିବାକୁ ମିଳିଥିଲା ଯେ, ଶ୍ମଶାନ ବାହାରେ ମୃତଦେହ ରଖାଯାଇଛି ଓ ମୃତକଙ୍କ କେହିବି ସମ୍ପର୍କୀୟ ସେଠାରେ ଉପସ୍ଥିତ ନାହାନ୍ତି। ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା। ହେଲେ କେହିବି ଆସିନଥିଲେ। ଶେଷରେ ରାତି ୧୨ଟାରେ ସଫେଇ କର୍ମଚାରୀଙ୍କ ସହ ସହାୟତାରେ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିଲା।

ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ମଧ୍ୟ ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କରୋନାରେ ସଂକ୍ରମିତ ହୋଇ ପ୍ରଥମେ ବାପା ଏବଂ ପରେ ପୁଅର ମୃତ୍ୟୁ ହୋଇଥିଲା। ସାହାଯ୍ୟ ପରିବର୍ତ୍ତେ ଲୋକମାନେ ସେମାନଙ୍କ ଘରର କବାଟ ଓ ଝରକା ବନ୍ଦ କରି ଦେଇଥିଲେ। ମୃତଦେହ ୬ ଘଣ୍ଟା ଧରି ଘରେ ପଡ଼ି ରହିଥିଲା, କିନ୍ତୁ କାନ୍ଧ ଦେବାକୁ କେହି ବି ଆସିନଥିଲେ।

ଆଜି ଦିନକରେ ସର୍ବାଧିକ ୧୫୦୧ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦କୁ ବୃଦ୍ଧି ପାଇଛି। ସେହିପରି ଆଜି ଦିନକରେ ସର୍ବାଧିକ ୨.୬୧ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି

You might also like