କରୋନାରେ ଆଖି ବୁଜିଲେ ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ପୁଅ

ନୂଆଦିଲ୍ଲୀ: ସିପିଆଇ(ଏମ୍‌) ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷ ୟେଚୁରୀଙ୍କ ଦେହାନ୍ତ ହୋଇଛି। ଆଜି ସକାଳେ ୩୪ ବର୍ଷୀୟ ଆଶିଷ ୟେଚୁରୀଙ୍କ କରୋନାରେ ଦେହାନ୍ତ ହୋଇଥିବା ସୀତାରାମ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଜୁନ୍‌ ୯ ତାରିଖରେ ଆଶିଷଙ୍କୁ ୩୫ ବର୍ଷ ହୋଇଥାନ୍ତା।

କରୋନାରେ ଆକ୍ରାନ୍ତ ହେବାପରେ ଆଶିଷ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା ଓ ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଥିଲେ। ହେଲେ ଆଜି ଭୋର ସାଢ଼େ ୫ଟାରେ ତାଙ୍କର ହଠାତ୍‌ ମୃତ୍ୟୁ ଘଟିଛି।

ଗତକାଲି ଦେଶରେ କରୋନା ଆକ୍ରାନ୍ତରେ ୨,୦୨୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଲକ୍ଷ ୯୫ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୬ ଲକ୍ଷ ୧୬ ହଜାର ୧୩୦କୁ ବୃଦ୍ଧି ପାଇଛି। ସେହିପରି ଗତକାଲିର କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ସଂଖ୍ୟା ୧ ଲକ୍ଷ ୮୨ ହଜାର ୫୫୩କୁ ବୃଦ୍ଧି ପାଇଛି।

ଟିକା ନେବା ପରେ ବି ରହିଛି କରୋନା ସଂକ୍ରମଣ ଆଶଙ୍କା। ଟିକା ରୋଗ ଦୂରେଇବ, କିନ୍ତୁ ସଂକ୍ରମଣ ଦୂରେଇବ ନାହିଁ। ଟିକା ନେବା ପରେ ବି RTPCR ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିପାରେ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।

କରୋନା ଟିକା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩ ହଜାର କୋଟି ଓ ଭାରତ ବାଇଓଟେକ୍‌କୁ ୧୫ଶ ହ କୋଟି ଟଙ୍କା ଆଗୁଆ ଦିଆଯିବ। ଏଥିପାଇଁ ଆଗତ ଏକ ପ୍ରସ୍ତାବକୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିଛି। ସେପଟେ, ଖୋଲା ବଜାରରେ ଟିକା ଉପଲବ୍ଧ ପାଇଁ ଦର ଘୋଷଣା ହୋଇଛି। କୋଭିସିଲଡ ଟିକା ପାଇଁ ଦର ଧାର୍ଯ୍ୟ କରିଛି ସେରମ ଇନଷ୍ଟିଚ୍ୟୁଟ। ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ୍ ପିଛା ଦର ୪ଶହ ଟଙ୍କା। ଘରୋଇ ହସ୍ପିଟାଲ ପାଇଁ ଟିକା ଡୋଜ୍ ୬ଶହ ଟଙ୍କା ଧାର୍ଯ୍ୟ ହୋଇଛି।

You might also like