‘ପ୍ରଧାନମନ୍ତ୍ରୀଙ୍କ କାପୁରୁଷତା ପାଇଁ ଚାଇନା ଆମ ଜମି ନେଲା’
ନୂଆଦିଲ୍ଲୀ: ଚାଇନା ସହିତ ସୀମା ବିବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ପୁଣିଥରେ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ଭାରତୀୟ ଯବାନଙ୍କ ସାମର୍ଥ୍ୟ ଓ ବୀରତ୍ୱ ଉପରେ ଭରସା କରନ୍ତିନି ବୋଲି କହି ରବିବାର ଟ୍ୱିଟ୍ କରିଛନ୍ତି ରାହୁଲ।
ଟ୍ୱିଟ୍ରେ ରାହୁଲ୍ ଲେଖିଛନ୍ତି “ କେବଳ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଭାରତୀୟ ଯବାନଙ୍କ ସାମର୍ଥ୍ୟ ଓ ବୀରତ୍ୱ ଉପରେ ସମସ୍ତେ ବିଶ୍ୱାସ କରନ୍ତି। ତାଙ୍କର କାପୁରୁଷତା ହିଁ ଚୀନ୍କୁ ଆମ ଜମି ହଡ଼ପ କରିବାକୁ ଅନୁମତି ଦେଲା, ତାଙ୍କ ମିଛ ପାଇଁ ସେମାନଙ୍କ ପାଖରେ ଆମ ଜମି ରହିବ।”
ଚୀନ ସହିତ ସୀମା ବିଦାଦକୁ ନେଇ ରାହୁଲ ବାରମ୍ବାର ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବା ସହିତ ନାନା ସମାଲୋଚନା କରୁଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ରାହୁଲ।
ଭାରତ ସରକାର ଲଦାଖରେ ଚୀନ୍ର ସାମ୍ନା କରିବାକୁ ଡରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସାହସର ଅଭାବ ଓ ଗଣମାଧ୍ୟମର ନିରବତା ପାଇଁ ଭାରତକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ରାହୁଲ୍ ଟ୍ୱିଟ୍ କରିଥିଲେ। ସେହିଭଳି ଅନ୍ୟ ଏକ ଟ୍ୱିଟ୍ରେ ଲଦାଖ ସମ୍ପର୍କରେ ଭାରତ ସରକାର ତଥ୍ୟ ଲୁଚାଉଥିବା ରାହୁଲ ଅଭିଯୋଗ କରିଥିଲେ।