କରୋନା ‘ଅନ୍ତ’ର ସମୟ ଆରମ୍ଭ

ନୂଆଦିଲ୍ଲୀ: କେବେ ଆସିବ ସ୍ୱାଭାବିକ ସ୍ଥିତି? କେବେ ଫେରିବ ସେଇ ପୁରୁଣା ଦିନ? ଯେତେବେଳେ, ବିନା ମାସ୍କରେ ନିଶ୍ୱାସ ନେଇ ହେଉଥିଲା, ବିଶ୍ୱାସରେ କାହାକୁ ଛୁଇଁ ହେଉଥିଲା, ବିନା ଭୟରେ ଭିଡ଼କୁ ଯାଇ ହେଉଥିଲା। ବୋଧହୁଏ ଏସବୁର ଗୋଟିଏ ଉତ୍ତର, କରୋନା ଟୀକା ଆସିବା ପରେ। ସେଥିପାଇଁ ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ, ଭାରତ ବି ପଛରେ ନାହିଁ ହ୍ୟୁମାନ ଟ୍ରାଏଲ୍ ପାଇଁ ଅନୁମତି ପାଇଥିବା ଭାରତର ୨ଟି ଟୀକାକୁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ‘ଅନ୍ତର ଅୟମାରମ୍ଭ’ ବୋଲି କହିଛି।

ଭାରତର ୨ଟି ଆଶା। କୋଭାକ୍ସିନ୍ ଓ ଜାଇକୋଭ୍-ଡି ଏଇଠୁ ହେବ କି ଅନ୍ତର ଅୟମାରମ୍ଭ? କରୋନାର ଅନ୍ତ ପାଇଁ ଚାଲିଥିବା ଭ୍ୟାକ୍ସିନ ରେସ୍‌ରେ ଥିବା, ବିଶ୍ୱର ଅନ୍ୟ ୯ଟି କ୍ୟାଣ୍ଡିଡେଟ୍ ସହ ଏହି ୨ଟି ଭାରତୀୟ ଉଦ୍ଭାବନକୁ ବି ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି।

ସେପଟେ ଭାରତ ବାୟୋଟେକ୍ ଓ ICMRର ମିଳିତ ପ୍ରୟାସରେ ପ୍ରସ୍ତୁତ କୋଭାକ୍ସିନର ମାନବ ପରୀକ୍ଷଣ ଓଡ଼ିଶାରେ ହେବାକୁ ଯାଉଛି। ମୁଖ୍ୟତଃ ୩ ଟି ପର୍ଯ୍ୟାୟରେ ମଣିଷ ଦେହରେ ଏହି ସମ୍ଭାବ୍ୟ ଟୀକାର ପ୍ରଭାବ ପରୀକ୍ଷା ହେବାକୁ ଥିବା ବେଳେ, ଦେଶର ଅନ୍ୟ ୧୧ଟି ହସ୍ପିଟାଲ ସହ ଭୁବନେଶ୍ୱର ସ୍ଥିତ ସମ୍‌କୁ ବି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମିଳିଛି।

ଯେତେ ଶୀଘ୍ର ସମ୍ଭବ କରୋନା ଟୀକା ବାହାରୁ ବୋଲି ସାରା ବିଶ୍ୱ ଚାହୁଁଛି। ତେବେ ମାତ୍ର କେଇ ସପ୍ତାହରେ, ଅର୍ଥାତ୍ ଅଗଷ୍ଟ ୧୫ ସୁଦ୍ଧା କୋଭାକ୍ସିନ୍ ଲୋକାର୍ପଣ ନେଇ ICMRର ବୟାନକୁ ହଜମ କରିପାରୁନାହାନ୍ତି ବୈଜ୍ଞାନିକ। ଏଭଳି ଦାବିକୁ ଅବାସ୍ତବ ଓ ଅଯୌକ୍ତିକ ବୋଲି ଦର୍ଶାଇବା ସହ, ଏହା ଲୋକଙ୍କ ମନରେ ମିଛ ଆଶା ସୃଷ୍ଟି କରିବ ବୋଲି କହିଛି ଭାରତୀୟ ବିଜ୍ଞାନ ଏକାଡେମୀ।

ସେପଟେ ୨୦୨୧ ସୁଦ୍ଧା ଲୋକଙ୍କ ବ୍ୟବହାର ପାଇଁ ଦେଶରେ କୌଣସି ବି ଟୀକା ପ୍ରସ୍ତୁତ ହୋଇପାରିବ ନାହିଁ ବୋଲି ଏକ ଲେଖା ପ୍ରକାଶ କରି, ପରେ ସେଥିରୁ ମସିହାକୁ କାଟି ଦେଇଛି ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋ, ଯାହାକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି।

ଆହୁରି ପଢ଼ନ୍ତୁ

You might also like