ଦେଶ ପାଇଁ ବିପଦ ବଢୁଛି : ୨୪ ଘଣ୍ଟାରେ ୨୬, ୨୯୧ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଉଛି କରୋନା। ଦୈନିକ ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ  ୨୬ ହଜାର ଟପିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୨୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୧୧୮ ଜଣଙ୍କ ଜୀବନ ନେଇଛି ମହାମାରୀ।  ଦେଶରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୩ ଲକ୍ଷ ୮୫ ହଜାର ଟିପିଛି । ଏବେ ବି ଆକ୍ଟିଭ କେସ୍ ୨ ଲକ୍ଷ ୧୯ ହଜାର ୨୬୨ ରହିଛି।

ଭାରତରେ କରୋନା ସଂକ୍ରମଣ କେସ୍ ୩.୮ ପ୍ରତିଶତ ବୃଦ୍ଧି ଘଟିଛି। ରବିବାର ୨୫, ୩୨୦ ମାମଲା ସାମ୍ନାକୁ ଆସିଥିବାବେଳେ ଆଜି ଏହା ବୃଦ୍ଧି ପାଇ ୨୬ ହଜାର ୨୯୧ ଛୁଇଁଛି। ଗତ ୨୪ ଘଣ୍ଟାରେ ୧୧୮ ଜଣଙ୍କର କରୋନାରେ ଜୀବନ ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଂଖ୍ୟାକୁ ମିଶାଇଲେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧, ୫୮, ୭୨୫ ଛୁଇଁଛି।

ତେବେ ଗତ ୩ ମାସ ମଧ୍ୟରେ ଆଜି ସର୍ବାଧିକ କରୋନା କେସ୍‌ ଦାଏର କରାଯାଇଛି। ଏହା ପୂର୍ବରୁ ଡିସେମ୍ବର ୨୦ ତାରିଖ ୨୬, ୬୨୪ ମାମଲା ରିପୋର୍ଟ ହୋଇଥିଲା। ଆକ୍ଟିଭ କେସ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ୧୧ ଜାନୁଆରୀ ପରେ ଏହା ସର୍ବାଧିକ ବୃଦ୍ଧି ଘଟିଛି। ସୋମବାର ଦେଶରେ ଆକ୍ଟିଭ  କେସ ୨, ୧୯, ୨୬୨ ଥିଲା।

ଦେଶରେ ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁରେ ସଂକ୍ରମଣ ବଢୁଥିବାରୁ ଏହି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ସତର୍କ ନଜର ରଖାଯାଉଛି। ଏୟାରପୋର୍ଟ ଓ ରେଳ ଷ୍ଟେସନରେ ଯାଞ୍ଚ ହେବା ସହ ସନ୍ଦିଗ୍ଧ ମାନଙ୍କର କୋଭିଡ୍ ଟେଷ୍ଟ କରାଯାଉଛି। ବିଭିନ୍ନ ଷ୍ଟେସନରେ ସ୍କ୍ରିନିଂ ବ୍ୟବସ୍ଥାକୁ କଡାକଡି କରାଯାଇଛି। ମହରାଷ୍ଟ୍ରରେ ଅବସ୍ଥା ସଙ୍ଗୀନ ଥିବରୁ ମୁମ୍ବାଇରୁ ଆସୁଥିବା ଯାତ୍ରୀମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ୧୭, ୪୫୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଏବେ ୧, ୧୦, ୦୭, ୩୫୨ ଜଣ ରୋଗୀ କଂରୋନାକୁ ମାତ୍‌ ସେବାରେ ସଫଳ ହୋଇଛନ୍ତି। ଦେଶରେ ରିକଭରି ରେଟ୍‌ ୯୬.୬୮ ଥିବାବେଳେ ଆକ୍ଟିଭ କେସ ହାର ୧.୯୨ ରହିଛି। ସେହିପରି ମୃତ୍ୟୁ ହାର ୧.୩୯ ପ୍ରତିଶତ ରହିଛି।  ପଜିଟିଭିଟି ହାର ୩.୭୩ ରହିଛି।

ଅନ୍ୟପକ୍ଷେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ବିପଦ ଟଳିନି । ଦୈନିକ ସଂକ୍ରମଣ ଶହେ ତଳେ ରହିଛି । ତେବେ ମୁଖ୍ୟମନ୍ତ୍ରୀ ଜିରୋ ସଂକ୍ରମଣ ଟାର୍ଗେଟ ଦେଇଥିବାରୁ ଏହାକୁ ନେଇ ତତ୍ପରତା ପ୍ରକାଶ କରିଛି ପ୍ରଶାସନ ।

You might also like