ସାଇକେଲ ଶିଳ୍ପ ପାଇଁ ବରଦାନ ସ୍ୱରୂପ କରୋନା

ସଂକ୍ରମଣ କାଳରେ ବଢ଼ିଲା ବିକ୍ରି, ଲାଭରେ କମ୍ପାନୀ

ଚେନ୍ନାଇ : ସଂକ୍ରମଣ ପାଇଁ ସାଇକେଲର ଚାହିଦା ବଢିଛି । କରୋନା କାହା ପାଇଁ କାଳ ସାଜିଛି ତ ଆଉ କାହା ପାଇଁ ବରଦାନ । ସଂକ୍ରମଣରେ ଲୋକେ ତାଲାବନ୍ଦରେ ଥିବାବେଳେ ଦେଶରେ ସାଇକେଲ ବିକ୍ରି ବଢ଼ିଛି । ତୁଳନାତ୍ମକ ଭାବେ ସାଇକେଲ ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକ ପାଇଁ ଚଳିତ ଆର୍ଥିକ ବର୍ଷ ଲାଭ ଦୃଷ୍ଟିରୁ ସର୍ବୋତ୍ତମ ବର୍ଷ ହେବାକୁ ଯାଉଛି । କରୋନା ମହାମାରୀ ପାଇଁ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇଛି । କଟକଣା ହେତୁ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଉଛି । ଫଳରେ ଘରେ ରହି ରହି ବିରକ୍ତ ହେଉଥିବା ଲୋକେ ଗାଡ଼ି ପରିବର୍ତ୍ତେ ସାଇକେଲ କିଣିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସାଇକେଲ ବଜାର । ୨୦୧୯ ସୁଦ୍ଧା ବିଗତ ୫ ଆର୍ଥିକ ବର୍ଷରେ ସାଇକେଲ ବିକ୍ରିରେ ବାର୍ଷିକ ୫% ଅଭିବୃଦ୍ଧି ହାର ରେକର୍ଡ ହୋଇଥିଲା । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୨୨ ପ୍ରତିଶତ ହ୍ରାସ ପାଇଥିଲା ସାଇକେଲ ବିକ୍ରି । ଫଳସ୍ୱରୂପ ଅନେକ ବଡ ସାଇକେଲ ବିକ୍ରିରେ ସାଇକେଲ ଉତ୍ପାଦନକାରୀ କମ୍ପାନୀ ଉତ୍ପାଦନ ବନ୍ଦ କରିଦେଇଥିଲେ । ଏହାରି ଭିତରେ ଗତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୦-୨୧ରେ ସାଇକେଲ ବିକ୍ରି ବୃଦ୍ଧି ହେବା ସହ ସାଇକେଲ ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକର ଭାଗ୍ୟ ଖୋଲିଥିଲା । ସାଇକେଲ ଶିଳ୍ପ ପାଇଁ ମହାମାରୀ ଆଣିଲା ସୁଯୋଗ ।

ସାଇକେଲ ଶିଳ୍ପକୁ ୪ ଟି ବିଭାଗରେ ବିଭକ୍ତ କରାଯାଇଛି ଯଥା ଷ୍ଟାଣ୍ଡାର୍ଡ଼, ପ୍ରିମିୟମ୍‌, କିଡସ ଓ ଏକ୍ସପର୍ଟ । ମହାମାରୀ ସମୟରେ ସାଇକେଲ ବିକ୍ରିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ଫିଟନେସ୍ ଏବଂ ଫ୍ରି-ଟାଇମ୍ ଆକ୍ସେସୋରିଜ୍ ଭାବରେ ସାଇକେଲର ଚାହିଦା ବୃଦ୍ଧି ପାଇଛି । ସାଇକେଲ ବିକ୍ରିରେ ପ୍ରିମିୟମ ଏବଂ କିଡ୍‌ସ ଭାଗିଦାରୀ ୪୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏଥି ସହିତ ସାଧାରଣ ସାଇକେଲର ଭାଗିଦାରୀ ୩୬ ପ୍ରତିଶତକୁ ଖସି ଆସିଛି । କୋଭିଡ କାରଣରୁ ଫିଟନେସ ବୃଦ୍ଧି ଏବଂ କିଡ୍‌ସ ସାଇକେଲର ଚାହିଦାକୁ ଦୃଷ୍ଟିରେ ରଖି ସାଇକେଲ ଶିଳ୍ପ ଚଳିତ ବର୍ଷ ୧.୪୫ କୋଟି ସାଇକେଲର ବିକ୍ରି ହେବ ବୋଲି ଆକଳନ କରିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୧.୨ କୋଟି ସାଇକେଲ ବିକ୍ରି ହୋଇଥିଲା ।

You might also like