ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଅସମ୍ଭାଳ ଭିଡ଼

ମୁମ୍ବାଇ: ଘର ବାହୁଡ଼ା ପାଇଁ ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ଅସମ୍ଭାଳ ଭିଡ଼। ମୁମ୍ବାଇ ବାନ୍ଦ୍ରା ରେଲେଓ୍ୱ ଷ୍ଟେସନରେ ଆଜି ଏଭଳି ଭିଡ଼ ଦେଖିବାକୁ ମିଳିଥିଲା। ହଜାର ହଜାର ପ୍ରବାସୀ ଶ୍ରମିକ ବିହାର ଯିବା ପାଇଁ ବାନ୍ଦ୍ରା ଷ୍ଟେସନକୁ ଆସି ଭିଡ଼ ଜମାଇଥିଲେ। ତେବେ ପଞ୍ଜୀକରଣ କରିଥିବା ଏକ ହଜାର ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିଥିଲା।

ଅନ୍ୟମାନଙ୍କୁ ଷ୍ଟେସନରୁ ବାହାର କରିବା ସହ ଭିଡ଼ ହଟାଇଥିଲା ପୋଲିସ। ଆଜି ବାନ୍ଦ୍ରାରୁ ବିହାରର ପୁର୍ଣ୍ଣିଆ ଷ୍ଟେସନ ଯାଏଁ ଟ୍ରେନ୍ ଯାଉଥିବା ଖବର ଶୁଣି ଅନେକ ପ୍ରବାସୀ ଶ୍ରମିକ ବାନ୍ଦ୍ରାରେ ଭିଡ଼ ଜମାଇଥିଲେ। ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ। ତେବେ ଅଧିକରୁ ଅଧିକ ପ୍ରବାସୀ ଶ୍ରମିକ ରେଜିଷ୍ଟ୍ରେସନ କରିନଥିବାରୁ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିନଥିଲା।

ସେହିପରି ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି ବୃଦ୍ଧି ହେବା ପରେ ବାନ୍ଦ୍ରା ଠାରେ ଘରକୁ ଫେରିବା ପାଇଁ ପ୍ରବାସୀଙ୍କ ପ୍ରବଳ ଭିଡ଼ ଜମିଥିଲା।

ଦେଶରେ ଦ୍ରୁତଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଛି। ଦେଶରେ ସବୁଠାରୁ ମହାରାଷ୍ଟ୍ରରେ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩୩ ହଜାର ୫୩ ଜଣ ଆକ୍ରାନ୍ତ ଥିବାବେଳେ ୧୧୯୮ ଜଣ ପ୍ରାଣ ହରାଇଛନ୍ତି।

You might also like