ଜୁଲାଇ ପହିଲାରୁ ହେବ ବାକିଥିବା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ହେବ ବାକିଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା। କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ୱାଲ ଆଜି ଏହି ଘୋଷଣା କରିଛନ୍ତି।

ଦିଲ୍ଲୀରେ ସିବିଏସଇ ଦଶମ ଶ୍ରେଣୀର କିଛି ପେପର ବାକି ଥିବା ବେଳେ ଦେଶବ୍ୟାପୀ ଯୁକ୍ତ ଦୁଇ ପରୀକ୍ଷା ଅଧାରେ ଅଟକି ଯାଇଥିଲା

ସାମାଜିକ ଦୂରତ୍ୱ ରଖି ପାଠପଢ଼ା ଆଗେଇ ନେବାକୁ ଯୁଗ୍ମ ଓ ଅଯୁଗ୍ମ ରୋଲ ନମ୍ବର ଭିତ୍ତିରେ କ୍ଲାସ କରାଇବା ଲାଗି NCERT ମାନବସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି।

ପ୍ରଥମେ ଧାରା ୩୭୦ ସଂପର୍କିତ ହିଂସା ଓ ପରେ କରୋନା ଲକ୍‌ଡାଉନ ଅଧାରେ ଅଟକି ଥିବା ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଶେଷ କରିବା ଲାଗି ତାରିଖ ଘୋଷଣା କରିଛି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ।

ବାକିଥିବା ସମସ୍ତ ବିଷୟର ପରୀକ୍ଷା ଜୁଲାଇ ପହିଲାରୁ ଆରମ୍ଭ ହୋଇ ୧୫ ତାରିଖ ମଧ୍ୟରେ ଶେଷ କରାଯିବ। ପରୀକ୍ଷା ଲାଗି ପ୍ରସ୍ତୁତ ହେବା ପାଇଁ ପିଲାଙ୍କ ନିକଟରେ ପର୍ଯ୍ୟାପ୍ତ ସମୟ ରହିଥିବା ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିଓ୍ୱାଲ କହିଛନ୍ତି।

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ହିଂସା ଯୋଗୁଁ ଉତ୍ତରପୂର୍ବ ଦିଲ୍ଲୀ ଅଞ୍ଚଳରେ ଦଶମ ଶ୍ରେଣୀର କିଛି ବିଷୟର ପରୀକ୍ଷା ହୋଇପାରିନଥିଲା। ଅନ୍ୟପକ୍ଷରେ ମାର୍ଚ୍ଚ ୨୫ ତାରିଖରେ କରୋନା ଡରକୁ ନେଇ କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିବା ପରେ ଦ୍ୱାଦାଶ ଶ୍ରେଣୀ ପରୀକ୍ଷା ଅଧାରେ ଅଟକି ଯଇଥିଲା। ଆଉ ଏବେ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି ସରକାର।

ଏପଟେ କରୋନାକୁ ଡରି ନୁହେଁ କରୋନା ସହ ଲଢ଼ି କିଭଳି ପିଲାଙ୍କ ପାଠପଢ଼ା ଜାରି ରଖିହେବ ସେନେଇ NCERT ନୂଆ ଉପାୟ ବାହାର କରିଛି। ଶ୍ରେଣୀ ଗୃହରେ ସାମାଜିକ ଦୂରତ୍ୱ ବଜାୟ ରଖି ପାଠପଢ଼ାକୁ ଆଗେଇ ନେବା ଲକ୍ଷ୍ୟରେ ଯୁଗ୍ମ-ଅଯୁଗ୍ମ ରୋଲ ନମ୍ବରକୁ ନେଇ କ୍ଲାସ କରିବାର ପରିକଳ୍ପନା କରିଛି।

ଯୁଗ୍ମ ତାରିଖରେ ଯୁଗ୍ମ ଓ ଅଯୁଗ୍ମ ତାରିଖରେ ଅଯୁଗ୍ମ ରୋଲ ନମ୍ବର ପିଲାଙ୍କ କ୍ଲାସ କରିବା ପାଇଁ  ମାନବସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଥିବା NCERT ନିର୍ଦ୍ଦେଶକ ହୃଷୀକେଶ ସେନାପତି ସୂଚନା ଦେଇଛନ୍ତି।

ଗାଇଡ୍ ଲାଇନ ଆସିବ ପରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଶିକ୍ଷାବିତ୍, ଶିକ୍ଷକ ଓ ଛାତ୍ରଛାତ୍ରୀ ଏଭଳି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ପୂର୍ଣ୍ଣ ସଫଳତା ନମିଳିଲେ ବି ବର୍ତ୍ତମାନର ଅଭାବନୀୟ ପରିସ୍ଥିତି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ଶିକ୍ଷାବିତ୍।

ଅନ୍ୟପକ୍ଷରେ ଏହି ବ୍ୟବସ୍ଥାରେ ପାଠ୍ୟକ୍ରମ ସାରିବାକୁ ହେଲେ ଶିକ୍ଷକମାନଙ୍କୁ ନିଜସ୍ୱସ୍ତରରେ ଉଦ୍ୟମ କରିବାକୁ ପଡ଼ିବ ବୋଲି ମତପ୍ରକାଶ ପାଇଛି।

କ୍ଲାସ୍ ନଥିବା ଦିନଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ହୋମ୍ ଆସାଇନ୍‌ମେଣ୍ଟ ଦେବା ଓ ଅନ୍ ଲାଇନ ପାଠପଢ଼ାକୁ ଗୁରୁତ୍ୱ ଦେବା ଲାଗି NCERT ବି ପ୍ରସ୍ତାବ ଦେଇଛି। ବିକାଶ ମନ୍ତ୍ରଣାଳୟ ଏନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନେଇପାରେ।

You might also like