ଆଜିଠୁ ଦେଶରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ

ମେଗା ଅଭିଯାନ ଆରମ୍ଭ

ଭୁବନୋଶ୍ୱର: କରୋନା ବିରୋଧରେ ଭାରତର ମେଗା ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶା ସମେତ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ଏହି ସର୍ବବୃହତ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏଥିସହିତ ମହାମାରୀ କରୋନା ବିରୋଧରେ ଆରମ୍ଭ ହୋଇଛି ନିର୍ଣ୍ଣାୟକ ଲଢ଼େଇ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବେ କେନ୍ଦ୍ର ସରକାର। କିଛି ରାଜ୍ୟରେ ଖୋଦ୍ ମୁଖ୍ୟମନ୍ତ୍ରୀମାନେ ହସ୍ପିଟାଲରେ ପହଞ୍ଚି ଟିକାକରଣ ପ୍ରକ୍ରିୟାର ତଦାରଖ କରିଥିଲେ।

କରୋନା ହାରିବ, ଜୀବନ ଜିତିବ। ଏ ଦିଗରେ ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୁପ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ। ଭିିଡିଓ କନ୍ଫରେନ୍ସିଂରେ କୋଭିଡ୍ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଦିଲ୍ଲୀ ଏମ୍ସରେ ସଫେଇ କର୍ମଚାରୀ ମୁକେଶ କୁମାରଙ୍କୁ ଦିଆଯାଇଥିଲା ପ୍ରଥମ କରୋନା ସଞ୍ଜୀବନୀ।

ଦେଶବାସୀଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି, ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୁଦ୍ଧର ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକାକରଣ କ୍ଷେତ୍ରରେ ଅଗ୍ରାଧିକାର ମିଳିବ। ଦେଶରେ ବିକଶିତ ଉଭୟ ଟିକା ସୁରକ୍ଷିତ, ତେଣୁ ଗୁଜବରେ ବିଶ୍ୱାସ ନକରିବାକୁ ସେ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦିଆଯିବ। ପ୍ରଥମ ଡୋଜ୍ ନେଉଥିବା ଲୋକେ, ଦ୍ୱିତୀୟ ଡୋଜ୍ ନିଶ୍ଚିତ ଭାବେ ନେବାକୁ ମୋଦି ଅନୁରୋଧ କରିଛନ୍ତି। ଟିକା ବାହାରିଥିଲେ ମଧ୍ୟ କରୋନା କଟକଣା ମାନି ଚଳିିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆଜିର ସମ୍ବୋଧନ ବେଳେ ଦେଶବାସୀ ସାମ୍ନା କରୋନା ବେଳର କଷ୍ଟ ଓ ଯନ୍ତ୍ରଣା କଥା ବଖାଣି ଭାବବିହ୍ୱଳ ହୋଇପଡିଥିଲେ ପ୍ରଧାନମନ୍ତ୍ରୀ।

ଟିକାକରଣ ପାଇଁ ସାରା ଦେଶରେ ୩ ହଜାର ୬ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛିା ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଓ ସାଥୀ ଡାକ୍ତର ବି ଆଜି ଟିକା ନେଇଛନ୍ତି । ସେହିପରି କୋଭିସିଲ୍ଡ ଟିକା ପ୍ରସ୍ତୁତକାରୀ କଂପାନୀ ସିରମ୍ ଇନଷ୍ଟିଚ୍ୟୁଟର CEO ଅଦର୍ ପୁନାଓ୍ୱାଲା ବି ଟିକା ନେଇଥିଲେ। ବିଭିନ୍ନ ରାଜ୍ୟରେ ଖୋଦ୍ ମୁଖ୍ୟମନ୍ତ୍ରୀମାନେ ଟିକାକରଣ କେନ୍ଦ୍ରରେ ପହଞ୍ଚି ଭ୍ୟାକ୍ସିନେସନ୍ ପ୍ରକ୍ରିୟାର ତଦାରଖ କରିଥିଲେ। ଦିଲ୍ଲୀ ଏଲ୍ଏନଜିପି ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପହଞ୍ଚି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିପରି ଅହମ୍ମଦାବାଦରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ, ମୋହାଲିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ଲକ୍ଷ୍ନୌରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପହଞ୍ଚି ସ୍ୱାସ୍ଥ୍ୟ କର୍ମୀଙ୍କ ଦମ୍ଭ ବଢ଼ାଇଥିଲେ। ସେହିପରି ଲେହରେ ଆଇଟିବିପି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ମୋଟ ୩ କୋଟି ଲୋକଙ୍କୁ ଟିକା ଦିଆଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷାବାହିନୀ, ପୋଲିସ୍ କର୍ମଚାରୀ ଏବଂ ରେସ୍କ୍ୟୁ ଅପରେସନରେ ମୁତୟନ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯିବ।

You might also like