ଲାକ୍ଷାଦ୍ୱୀପରେ ପହଞ୍ଚିଲା କରୋନା; ଚିହ୍ନଟ ହେଲେ ୧୫ ପଜିଟିଭ୍

ନୂଆଦିଲ୍ଲୀ: ଲାକ୍ଷାଦ୍ୱୀପରେ ପହଞ୍ଚିଲା କରୋନା ଭାଇରସ। ପ୍ରାୟ ବର୍ଷେ ହେବ ଦେଶରେ କରୋନା ତାଣ୍ଡବ କରିବା ପରେ ଶେଷରେ ଲାକ୍ଷାଦ୍ୱୀପରେ ପହଞ୍ଚିଛି। ସୋମବାର ଏଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମ ଆଜ୍‌ ତକ୍‌ରେ ଖବର ପ୍ରକାଶ ପାଇଛି।

ଖବର ଅନୁସାରେ ଭାରତୀୟ ରିଜର୍ଭ ବାଟାଲିୟନର ଜଣେ କର୍ମଚାରୀ ଡିସେମ୍ବର ୩ ତାରିଖରେ ଜଳପଥ ଦେଇ ଲାକ୍ଷାଦ୍ୱୀପ ରାଜଧାନୀ କୱରତ୍ତି ଯାଇଥିଲେ। ଜାନୂଆରୀ ୪ ଚାରିଖରେ ସେ କୱରତ୍ତି ଠାରେ ପହଞ୍ଚିଥିଲେ। କିନ୍ତୁ ସୋମବାର କୋଭିଡ୍ ଟେଷ୍ଟ କରିବାକୁ ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି।

ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣକ ପାଖାପାଖି ୩୧ ଜଣଙ୍କ ସମ୍ପର୍କରେ ଆସିଛନ୍ତି। ଏଥିରୁ ୧୫ ଲୋକଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଥିବା ବେଳେ ୪ ଜଣଙ୍କ ଠାରେ କରୋନାର ଲକ୍ଷଣ ମଧ୍ୟ ଦେଖାଯାଇଛି। ତେବେ ଅନ୍ୟମାନଙ୍କ ଠାରେ କରୋନାର ଲକ୍ଷଣ ଦେଖାଯାଇ ନାହିଁ। ତେବେ ଆକ୍ରାନ୍ତ ୧୩ ଜଣ ଭାରତୀୟ ରିଜର୍ଭ ବାଟାଲିୟନ ସହିତ ସମ୍ପର୍କିତ ଅଟନ୍ତି। ତେବେ ଏମାନଙ୍କ ସମ୍ପରେ ଆସିଥିବା ଲୋକଙ୍କୁ ବର୍ତ୍ତମାନ ଖୋଜା ଚାଲିଛି।

କୱରତ୍ତିରେ ପ୍ରଥମ କରି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ରିଜର୍ଭ ବାଟାଲିୟନ୍‌ରେ ରୋଷେଇୟା କାମ କରିଥାଏ। ତେବେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଙ୍କୁ କୱରତ୍ତିର କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏ ସମ୍ପର୍କରେ ଲକ୍ଷାଦିପ ପ୍ରଶାସନ ସୂଚନା ଦେଇ କହିଛି ଯେ କରୋନା ଭାଇରସକୁ ରୋକିବା ପାଇଁ ସବୁ ପଦକ୍ଷେପ ନିଆଯାଉଛି। ସ୍ଥାନେ ସ୍ଥାନେ ସାନିଟାଇଜ କରାଯାଉଛି। ଏଥିସହିତ  କୌଣସି ଲାକ୍ଷାଦ୍ୱୀପ ଯାତ୍ରା କରିବାର ୪୮ ଘଣ୍ଟା ପୂର୍ବରୁ ବ୍ୟକ୍ତିଙ୍କୁ କୋଭିଡ୍ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କରୋନା ଟିକା ପଠାଇଯାଇଛି। ହେଲେ ଗୋଟିଏ ପଟେ କରୋନା ଟିକାରଣ ଚାଲିଥିବା ଅନ୍ୟପଟେ ନିୟମିତ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତ ୧୬ ତାରିଖରେ ସାରା ଦେଶରେ ଟିକାରଣ ଆରମ୍ଭ ହୋଇଥିଲା। କୋଭିସିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ଜରୁରୀ କାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଟିକାରଣ କରାଯାଉଛି।

You might also like