ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ହାଇଦ୍ରାବାଦ: ସେ ଗୋଟିଏ ରାଜ୍ୟର ରାଜ୍ୟପାଳ। ରାଜ୍ୟର ପ୍ରଥମ ନାଗରିକ। କିନ୍ତୁ ରୋଗୀ ସେବାରେ ବ୍ରତୀ ହୋଇଛନ୍ତି। ତାହା ପୁଣି ବିପତ୍ତି ସମୟରେ। ସେ ହେଉଛନ୍ତି ତେଲଙ୍ଗାନା ରାଜ୍ୟପାଳ ଡକ୍ଟର ତାମିଲିସାଇ ସୌନ୍ଦରରାଜନ। ବିପତ୍ତି ସମୟରେ ରୋଗୀ ସେବା କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ମହିୟସୀ ମହିଳା।

ରାଜଭବନରେ ବସି ସେ ଲୋକଙ୍କ କଲ୍ ଆଟେଣ୍ଡ କରୁଛନ୍ତି। ସିଧାସଳଖ ଲୋକଙ୍କ ସହ କଥା ହେଉଛନ୍ତି। ରୋଗୀଙ୍କୁ ସ୍ୱାସ୍ଥ୍ୟ ସଂପର୍କିତ ପରାମର୍ଶ ଦେଉଛନ୍ତି। ରୋଗୀମାନଙ୍କୁ ସେ ଟେଲିମେଡିସିନ ସେବା ଯୋଗାଇଦେଉଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି ରାଜଭବନରେ ନିଯୁକ୍ତି ପାଇଥିବା ଦୁଇଜଣ ଡାକ୍ତର। ରାଜ୍ୟପାଳ ଓ ତାଙ୍କ ପରିବାରକୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ନିଯୁକ୍ତ ହୋଇଛନ୍ତି ଏହି ଡାକ୍ତର। କିନ୍ତୁ ରାଜ୍ୟପାଳ ନିଜେ ସେହି ଦୁଇ ଡାକ୍ତରଙ୍କୁ ସାଙ୍ଗରେ ନେଇ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିଲେଣି।

ଡକ୍ଟର ତାମିଲିସାଇ ସୌନ୍ଦରରାଜନ ପେସାରେ ଜଣେ ଡାକ୍ତର । ଚଳିତ ସପ୍ତାହରେ ହାଇଦ୍ରାବାଦ ତଥା ତେଲଙ୍ଗାନାରେ ହୋଇଥିବା ପ୍ରବଳ ବର୍ଷାରେ ବହୁ ଧନଜୀବନ ନଷ୍ଟ ହୋଇଛି । ବର୍ଷା ପରେ ପରେ ବହୁ ଲୋକ ଜ୍ୱରରେ ପୀଡିତ ହୋଇଛନ୍ତି। କୋଭିଡ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଏହି ବିପତ୍ତି ସମୟରେ ଲୋକଙ୍କ ସେବା କରିବାକୁ ବାହାରି ଆସିଛନ୍ତି ନିଜେ ରାଜ୍ୟପାଳ । ଟେଲିଫୋନରେ ଲୋକଙ୍କ ସହ କଥା ହୋଇ ମେଡିସିନ ପ୍ରେସ୍କ୍ରାଇବ କରୁଛନ୍ତି । କଣ କରିବେ କଣ କରିବେ ନାହିଁ , ତାହା ଲୋକଙ୍କୁ ବତାଉଛନ୍ତି । ପ୍ରଥମ ଦୁଇଦିନରେ ସେ ୨୧ଜଣ ରୋଗୀଙ୍କ ସହ କଥା ହୋଇଛନ୍ତି।

ଜଣେ ସାଧାରଣ ଲୋକ ରୋଗୀ ହିସାବରେ ରାଜ୍ୟପାଳଙ୍କ ସହ କଥା ହୋଇପାରୁଛନ୍ତି । କଥା ହେଉଥିବା ଲୋକମାନେ ଖାଲି ଆଶ୍ଚର୍ଯ୍ୟ ହେଉନାହାନ୍ତି, ନିଜକୁ ଧନ୍ୟ ମନେକରୁଛନ୍ତି । ଫୋନରେ ରାଜ୍ୟପାଳ ରୋଗୀଙ୍କୁ ଅଭିନନ୍ଦନ ଜଣାଇ ତେଲୁଗୁରେ କଥା ହେଉଛନ୍ତି। ସାଧାରଣ ଥଣ୍ଡା, କୋଭିଡ ଲକ୍ଷଣ, ବନ୍ଧ୍ୟାଦୋଷ ଓ କିଡନୀ ଫେଲୁଅର ଆଦି ବିଷୟରେ ରାଜ୍ୟପାଳ ଲୋକଙ୍କୁ ବୁଝାଉଛନ୍ତି।

କେବଳ ରୋଗ ବିଷୟରେ ରାଜ୍ୟପାଳ କହୁନାହାନ୍ତି , କଣ କଣ ଅଭ୍ୟାସ କଲେ ସୁସ୍ଥ ରହିବେ ତାହା ବି କହୁଛନ୍ତି। ରାଜ୍ୟପାଳ କହୁଛନ୍ତି – ସାଧାରଣ ଥଣ୍ଡା ବା ଅଳ୍ପ ଜ୍ୱର ହେଲେ ଭୟଭୀତ ହେବାର କୌଣସି କାରଣ ନାହିଁ। କାରଣ ବର୍ଷାଦିନେ ଏହା ହୁଏ। କିନ୍ତୁ ଯଦି ଏହା ଲାଗି ରହୁଛି ଓ ଔଷଧ ଖାଇବା ପରେ କମୁନାହିଁ , ତା ପରେ କୋଭିଡ ଟେଷ୍ଟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଉଛନ୍ତି।

ସେ ଚେନ୍ନାଇର ମାଡ୍ରାସ ମେଡିକାଲ କଲେଜରୁ ଡାକ୍ତରୀ ପାଠ ପଢି ସାରିବାପରେ କାନାଡାରେ ଉଚ୍ଚତର ଡାକ୍ତରୀ ଶିକ୍ଷା ହାସଲ କରିଛନ୍ତି । ରାଜ୍ୟପାଳ ହେବା ପୂର୍ବରୁ ସେ ତାମିଲନାଡୁରେ ରାଜ୍ୟ ବିଜେପିର ସଭାନେତ୍ରୀ ଥିଲେ ।

You might also like