କରୋନା ଭ୍ୟାକ୍‌ସିନ୍‌କୁ ନେଇ ଆସିଲା ଭଲ ଖବର: ମାଙ୍କଡ଼ ଶରୀରରେ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ କରୋନା ଭ୍ୟାକ୍‌ସିନ୍‌ ପରୀକ୍ଷଣକୁ ନେଇ ଏକ ଆଶ୍ୱସ୍ତିକର ଖବର ଆସିଛି। କରୋନା ପାଇଁ ଭାରତରେ ପ୍ରସ୍ତୁତ ହେଉଥିବା କରୋନା ଭ୍ୟାକ୍‌ସିନ୍‌ କୋଭାକ୍ସିନ୍ ପଶୁଙ୍କ ଉପରେ ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି। ଏ ନେଇ ଗତକାଲି କୋଭାକ୍ସିନ୍ ଭ୍ୟାକ୍‌ସିନ୍ ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍ ପକ୍ଷରୁ ଘୋଷଣା କରାଯାଇଛି।

ଭାରତରେ ପ୍ରାଇମେଟ ବର୍ଗର ପଶୁଙ୍କ ଶରୀରରେ ଏହି କୋଭାକ୍ସିନ୍ ପ୍ରୟୋଗ ଫଳପ୍ରଦ ହୋଇଛି ବୋଲି କମ୍ପାନୀ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି। ICMR ଓ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଦ୍ୱାରା ଭାରତର ୧୨ଟି ଅନୁଷ୍ଠାନରେ ଏହାର ପରୀକ୍ଷା କରାଯାଉଛି।

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ବେଶ୍‌ ଉତ୍ସାହଜନକ ରହିଛି। ୪ଟି ଗ୍ରୁପ୍‌ରେ ଭାଗ କରି ମାଙ୍କଡ଼ ପ୍ରଜାତିର ୨୦ଟି ପ୍ରାଣୀଙ୍କ ଦେହରେ ଦୁଇ ଡୋଜ୍ ବିଶିଷ୍ଟ ଟୀକାକରଣ ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ଗୋଷ୍ଠୀକୁ ପ୍ଲେସେବୋ ସହିତ ପରିଚାଳନା କରାଯାଉଥିବା ବେଳେ ଅନ୍ୟ ୩ଟି ଗ୍ରୁପରେ ଭିନ୍ନ ଭିନ୍ନ ଟିକା ଦିଆଯାଇଥିଲା। ଯାହାକି ପଶୁଙ୍କ ଶରୀରରେ ସଂକ୍ରମଣକୁ ରୋକିବାରେ କୋଭାକ୍ସିନ୍ ସକ୍ଷମ ହୋଇଥିବା ସୂଚନା ମିଳିଛି।

You might also like