ଏଣିକି ଆଉ ଲୋଡ଼ା ନାହିଁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ, ସିଧାସଳଖ ଟିକାକରଣ

ନୂଆଦିଲ୍ଲୀ: କରୋନା ଟିକା ସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି ୧୮ ରୁ ୪୪ ବର୍ଷ ବ୍ୟକ୍ତି ବିନା ଅନଲାଇନ ରେଜିଷ୍ଟ୍ରେସନରେ ମଧ୍ୟ ନେଇପାରିବେ ଟିକା । ଲୋକମାନେ ଏବେ ଟୀକାକରଣ କେନ୍ଦ୍ରରେ ପଞ୍ଜୀକରଣ କରିପାରିବେ। ତେବେ ଏହି ସୁବିଧା ବର୍ତ୍ତମାନ କେବଳ ସରକାରୀ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ହେବ । ବେସରକାରୀ ଡାକ୍ତରଖାନାଗୁଡ଼ିକର କେନ୍ଦ୍ରଗୁଡ଼ିକରେ ଟିକା ନେବାକୁ ହେଲେ ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ସ୍ଲଟ୍ ବୁକ୍ କରିବାକୁ ପଡିବ । ପୂର୍ବରୁ ଏକ ସରକାର ମେ’ ମାସରୁ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକାକରଣ କରିବେ ବୋଲି ଘୋଷଣା କରିଥିଲେ ।

ତେବେ ଟୀକାକରଣ କେନ୍ଦ୍ରରେ ଭିଡ଼ କମାଇବା ଉଦ୍ଦେଶ୍ୟରେ ସରକାର ପୂର୍ବରୁ ଅନଲାଇନ୍ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ କରିଥିଲେ । କିନ୍ତୁ ଅନଲାଇନ୍ ରେଜିଷ୍ଟ୍ରେସନରେ ଦୁଇ ପ୍ରକାରର ସମସ୍ୟା ଦେଖାଦେଇଥିଲା । ପ୍ରଥମଟି ହେଉଛି ଗାଁ ଲୋକ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ, ସେମାନେ ସ୍ଲଟ୍ ବୁକ୍‌ କରିବାରେ ଅସୁବିଧାର ସମ୍ମୁଖୀନ ହେଲେ । ଏହା ବ୍ୟତୀତ ଅନେକ ରାଜ୍ୟରୁ ଖବର ଆସିଥିଲା ​​ଯେ, ଲୋକମାନେ ସ୍ଲଟ୍ ବୁକ୍ କରିବା ପରେ ମଧ୍ୟ ଟିକାକରଣ କେନ୍ଦ୍ରରେ ପହଞ୍ଚି ପାରିନାହାଁନ୍ତି । ଏହା କାରଣରୁ ଅନେକ ସ୍ଥାନରେ ଟିକା ନଷ୍ଟ ହେବାକୁ ଲାଗିଲା । କିନ୍ତୁ ବର୍ତ୍ତମାନ ରେଜିଷ୍ଟ୍ରେସନ ବିନା ଟିକାକରଣ କେନ୍ଦ୍ରରେ ପହଞ୍ଚିଥିବା ଲୋକଙ୍କୁ ଟିକା ଦିଆଯିବ ।

ରାଜ୍ୟଗୁଡିକୁ ନିର୍ଦ୍ଦେଶ:

ଅନସାଇଟ୍ ରେଜିଷ୍ଟ୍ରେସନ୍ ସୁବିଧା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଗୁଡ଼ିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଅନସାଇଟ୍ ରେଜିଷ୍ଟ୍ରେସନ ବେଳେ ଯେଭଳି ଟିକାକରଣ କେନ୍ଦ୍ରରେ ଭିଡ଼ ଜମିବ ନାହିଁ। ସେଥିପ୍ରତି ବିଶେଷ ଗୁରୁତ୍ୱ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

୧୯ କୋଟିରୁ ଅଧିକଙ୍କୁ ଟିକାକରଣ

ଦେଶରେ ଏବେ ସୁଦ୍ଧା ୧୯.୬୦ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ ସାରିଲାଣି। ତେବେ ଏବେ ବି କିଛି ରାଜ୍ୟରେ ଟିକାର ଘୋର ଅଭାବ ରହିଛି । ତେଣୁ ଦିଲ୍ଲୀ, ପଞ୍ଜାବ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣ କରାଯାଉ ନାହିଁ । ଅନ୍ୟପଟେ ଭାରରେ ଏବେ କେବଳ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକା ବହୁଳ ଭାବରେ ବ୍ୟବହାର କରାଯାଉଛି । କିଛି କିଛି ରାଜ୍ୟରେ ଋଷର ସ୍ପୁଟ୍‌ନିକ୍‌-ଭି ମଧ୍ୟ ବ୍ୟବହାର କରାଯାଉଛି ।

You might also like