ଆୟୁଷ୍ମାନ୍ ଭାରତରେ ସାମିଲ୍ ହୋଇପାରେ କରୋନା ଚିକିତ୍ସା
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ୍ ହୋଇପାରେ କୋଭିଡ୍-୧୯ ବା କରୋନା ଚିକତ୍ସା। ଏହି ନିଷ୍ପତ୍ତି ନେଇଛି ନ୍ୟାସନାଲ ହେଲ୍ଥ ଅଥରିଟି। ଫଳରେ ଗରିବ ଲୋକ ଏହାର ଫାଇଦା ଉଠାଇପାରିବେ। ଯୋଜନା ଅଧୀନରେ ଗରିବ ଶ୍ରେଣୀର ଲୋକେ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇପାରିବେ।
ବର୍ତ୍ତମାନ ଆୟୁଷ୍ମାନ ଭାରତ ହିତାଧିକାରୀ ସରକାରଙ୍କ ସହ ଏମ୍ପ୍ୟାନେଲ ହୋଇଥିବା ଘରୋଇ ହସ୍ପିଟାଲରେ ବିନା ଦେୟରେ କୋଭିଡ୍-୧୯ ପରୀକ୍ଷା କରାଇପାରିବ। ଯଦି ସେ ଘରୋଇ ହସ୍ପିଟାଲରେ ଆଇସୋଲେସନ୍ରେ ଅଛନ୍ତି, ତାହାଲେ ମଧ୍ୟ ତାହା ଏହି ଯୋଜନା ଅଧୀନରେ ଯିବ।
ପରିଚୟ ଗୋପନ ରଖି ଜଣେ ଏନ୍ଏଚ୍ଏ ଅଧିକାରୀ କହିଛନ୍ତି, ଆୟୁଷ୍ମାନ ହିତାଧିକାରୀଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍ ଚୂଡ଼ାନ୍ତ କରାଯାଇଛି। ଏମ୍ପ୍ୟାନେଲ୍ ହୋଇଥିବା ହସ୍ପିଟାଲମାନଙ୍କରେ କୋଭିଡ୍-୧୯ ଚିହ୍ନଟ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।
ଏଥିସହିତ ଭାଇରାଲ ଇନ୍ଫେକ୍ସନ୍ ଜନିତ ଚିକିତ୍ସା ମଧ୍ୟ ଆୟୁଷ୍ମାନ ଭାରତ ଅଧୀନରେ ଆସିପାରେ ବୋଲି କୁହାଯାଉଛି। ଶ୍ୱାସ ପ୍ରଶ୍ୱାସ ପରି ଗୁରୁତର କ୍ଷେତ୍ରରେ ଆଇସିୟୁ ଦରକାର ପଡ଼ିଲେ ସେଥିପାଇଁ ମଧ୍ୟ ଅତିରିକ୍ତ ଭାବେ ପ୍ୟାକେଜ୍ ବ୍ୟବସ୍ଥା କରାଯିବାର ଅଛି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ବିଶ୍ୱର ସର୍ବବୃହତ ଏବଂ ସମ୍ପୂର୍ଣ୍ଣ ସରକାରଙ୍କ ପରିଚାଳିତ ସ୍କିମ୍।