ଭାରତରେ ପୁଣି ୨ ଜୀବନ ନେଲା କରୋନା: ଗୋଟିଏ ଦିନରେ ୯୦ରୁ ଅଧିକ ଆକ୍ରାନ୍ତ

  • ଆଜି ଗୋଟିଏ ଦିନରେ ଦୁଇ ଜଣଙ୍କ ଜୀବନ ନେଲା କରୋନା ଭାଇରସ୍
  • କେବଳ ଆଜି ହିଁ ଦେଶରେ ୯୦ରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି।
  • କରୋନା ଆକ୍ରାନ୍ତ ରାଜ୍ୟ ମଧ୍ୟରେ ୧୨୮ ଆକ୍ରାନ୍ତଙ୍କ ସହିତ ମହାରାଷ୍ଟ୍ର ନମ୍ବର ୱାନ୍‌ରେ ରହିଛି।
  • ବର୍ତ୍ତମାନ ୬୦୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

 

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତ ଯୁଦ୍ଧଂଦେହି ଡାକରା ଦେଇଛି। କରୋନା ମହାମାରୀକୁ ମୂଳପୋଛ କରିବା ପାଇଁ ୨୧ ଦିନିଆ ଲକଡାଉନକୁ କାର୍ଯ୍ୟକାରୀ କରାଯାଇଛି। ତଥାପି କରୋନା ଭାରତରେ ତା’ର ଉପସ୍ଥିତି ଜାହିର କରିବାରେ ଲାଗିଛି।

ଆଜି ଏହି କରୋନା ଭାଇରସ ଦେଶରେ ଦୁଇ ଜଣଙ୍କ ଜୀବନ ନେଇଛି। ଜଣେ ତାମିଲନାଡୁରେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ୬୫ ବର୍ଷୀୟ ମହିଳା ମଧ୍ୟପ୍ରଦେଶରେ ଆଖି ବୁଜିଛନ୍ତି। ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧ ଛୁଇଁଛି। ଦିଲ୍ଲୀରେ ଗତକାଲି ପ୍ରାଣ ହରାଇଥିବା ଜଣଙ୍କ ବ୍ୟକ୍ତିଙ୍କ ଶରୀରରେ କୌଣସି କରୋନା ଭୂତାଣୁ ଠାବ ହୋଇନାହିଁ। ପୂର୍ବରୁ ସେ କରୋନାରେ ପ୍ରାଣ ହରାଇଥିବା କୁହାଯାଉଥିଲା। ହେଲେ ପରେ ଏହାକୁ ସଂଶୋଧନ କରାଯାଇଛି।

ତାମିଲନାଡୁରେ ପ୍ରାଣ ହରାଇଥିବା ମୃତକ ଜଣଙ୍କ ମଦୁରାଇ ବାସିନ୍ଦା। ସେ କରୋନାରେ ଆକ୍ରାନ୍ତ ହେବା ପରେ ମଦୁରାଇରେ ଥିବା ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ସି ବିଜୟବସ୍କର ସୂଚନା ଦେଇଛନ୍ତି।

ମୃତକ ଜଣଙ୍କ ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ। ସେ ବିଦେଶ ଗସ୍ତ କରି ନଥିଲେ। ତେଣୁ ସେ କାହା ସଂସ୍ପର୍ଶରେ ଆସିବା ପରେ କରୋନାରେ ଆକ୍ରାନ୍ତ ହେଲେ ସେ ନେଇ ଅନୁଧ୍ୟାନ କରାଯାଉଛି ବୋଲି ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ମଧ୍ୟପ୍ରଦେଶର ଜଣେ ୬୫ ବର୍ଷୀୟ ମହିଳା ଇନ୍ଦୋର ସ୍ଥିତ ଏମ ୱାଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମହିଳା ଜଣଙ୍କ ଉଜ୍ଜୟୀନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଏଠାକୁ ଆସିଥିଲେ। ତେବେ ସେ ବିଦେଶ ଗସ୍ତରେ ଯାଇଥିଲେ କି ନାହିଁ, ତା’ହା ଜଣାପଡ଼ିନାହିଁ।

ଅନ୍ୟପକ୍ଷରେ ଆଜି ଦେଶରେ ୯୦ରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏଥିପାଇଁ କରୋନା ରୋଗୀଙ୍କ ସଂଖ୍ୟା ଦେଶରେ ୬ଶହ ପାର କରି ଯାଇଛି। ବର୍ତ୍ତମାନ ୬୦୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବଭଳି ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ରାଜ୍ୟ ଭାବେ ତାଲିକାର ୧ନଂ ସ୍ଥାନରେ ରହିଛି। ଏଠାରେ ୩ ବିଦେଶୀ ନାଗରିକଙ୍କ ସମେତ ୧୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କ ଜୀବନ ଯାଇଛି।
ଆଜି ମିଜୋରାମ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଦେଶରେ ୫୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସୋମବାର ଏହି ସଂଖ୍ୟା ୯୯ ଥିଲା।

ଆଜି ମଧ୍ୟପ୍ରଦେଶରେ ୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ଇନ୍ଦୋରର ହୋଇଥିବା ବେଳେ ଜଣେ ଉଜ୍ଜୟୀନର ବାସିନ୍ଦା। ଫଳରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚି ଯାଇଛି। ବୁଧବାର ଉତ୍ତର ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି। ଆଜି ପିଲଭିଟର ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଏହି ବ୍ୟକ୍ତି ଜଣଙ୍କ କେବେ ହେଲେ ବିଦେଶ ଗସ୍ତ କରି ନଥିଲେ। ତଥାପି ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଗୁଜରାଟରେ ୩ ନୂଆ ରୋଗୀ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଆଜି ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ଏହା ପଛକୁ କେରଳରେ ୧୦୯ ଜଣ କରୋନା ଆକ୍ରାନ୍ତ ରହିଛନ୍ତି।

ମିଜୋରାମରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ତାଙ୍କୁ ଜୋରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କର୍ଣ୍ଣାଟକାରେ ୪୧, ତେଲେଙ୍ଗାନାରେ ୩୫ ଓ ରାଜସ୍ଥାନରେ ୨ ବିଦେଶୀ ନାଗରିକଙ୍କ ସେମତ ୩୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀରେ ଆଜି ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଛୁଇଁଛି। ହରିଆଣାରେ ୨୮, ପଞ୍ଜାବରେ ୨୯, ଲଦାଖରେ ୧୩, ତାମିଲନାଡୁରେ ୧୮, ପଶ୍ଚିମବଙ୍ଗରେ ୯, ଆନ୍ଧ୍ର ପ୍ରଦେଶରେ ୯, ଚଣ୍ଡିଗଡ଼ରେ ୭, ଜମ୍ମୁ-କଶ୍ମୀରରେ ୭, ଉତ୍ତରାଖଣ୍ଡରେ ୪, ବିହାରରେ ୪, ହିମାଚଳ ପ୍ରଦେଶରେ ୩, ପୁଡ଼ୁଚେରୀରେ ୨, ଓଡ଼ିଶାରେ ୨, ମଣିପୁର ଓ ଛତିଶଗଡ଼ରେ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ ଏଯାବତ ୫୬୩ ଜଣ ଭାରତୀୟ ଓ ୪୩ ଜଣ ବିଦେଶୀ ନାଗରିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆହୁରି ପଢ଼ନ୍ତୁ

କ୍ୱାରେଣ୍ଟାଇନ୍‌ ପରେ ବି ଆହୁରି ୨ ସପ୍ତାହ କରୋନା ଭୟ ରହିଛି

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

କରୋନା ମୁକାବିଲା ପାଇଁ ରୋହିତ ଦେଲେ ୮୦ ଲକ୍ଷ

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

ସଚେତନ ରୁହ, ନହେଲେ ନିଆଁ ଭଳି ମାଡ଼ିଯିବ କରୋନା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

କ୍ୱାରେଣ୍ଟାଇନ୍‌ରେ ରହିଲେ ନିଜାମୁଦ୍ଦିନ୍‌ରୁ ଫେରିଥିବା ୩ ଓଡ଼ିଆ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like