ଦେଶରେ କରୋନା ବିସ୍ଫୋରଣ : ୮ଟି ରାଜ୍ୟରେ ସ୍ଥିତି ଉଦବେଗଜନକ

 ଦୈନିକ ଲକ୍ଷେ ପାର୍ କରୁଛି ସଂକ୍ରମିତଙ୍କ ସଂଖ୍ୟା

 

  • ଦେଶର ୮ଟି ରାଜ୍ୟରେ ସ୍ଥିତି ଉଦବେଗଜନକ  
  • ଗତବର୍ଷଠାରୁ ଏଥର ସଂକ୍ରମଣ ହାର ଅଧିକ ରହୁଛି    
  • ସ୍ୱଳ୍ପ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ  
  • କର୍ଣ୍ଣାଟକରେ ୧୪ ଦିନିଆ ଲକଡାଉନ ଘୋଷଣା

ନୂଆଦିଲ୍ଲୀ : ଦେଶରେ କରୋନା ବ୍ୟାପିବାରେ ଲାଗିଛି । ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ଼, ଗୁଜରାଟ, ତାମିଲନାଡୁରେ ସଂକ୍ରମଣର ସ୍ଥିତି ଉଦବେଗଜନକ ଥିବା ବେଳେ ଏଠାରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଥିବା ସୂଚନା ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ କହିଛନ୍ତି, ଗତବର୍ଷ ଠାରୁ ଏଥର ସଂକ୍ରମଣର ହାର ଅଧିକ । ସବୁ ରାଜ୍ୟରୁ ଅଧିକ ମାମଲା ଆସୁଛି । ସେହିଭଳି ରୋଗୀଙ୍କଠାରେ ସ୍ୱଳ୍ପ ଲକ୍ଷଣ ଥିଲେ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।

ଏପଟେ ବଢୁଥିବା ସଂକ୍ରମଣକୁ ଦେଖି କର୍ଣ୍ଣାଟକରେ ଦୁଇ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି କର୍ଣ୍ଣାଟକ ରାଜ୍ୟ ସରକାର । ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪ ହଜାର ସଂକ୍ରମିତ ଚିହ୍ନଟ ହେବା ପରେ ସରକାର ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ସେହିଭଳି ପଞ୍ଜାବ ସରକାର ମଧ୍ୟ ଗତକାଲିଠୁ ଦୈନିକ ସା ୬ରୁ ସକାଳ ୫ ଟା ଯାଏଁ ଲକଡାଉନ୍ ଘୋଷଣା ସହ ଶୁକ୍ରବାରଠୁ ସୋମବାର ଯାଏଁ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ।

ସେପଟେ କରୋନାର ଦ୍ୱିତୀୟ ଲହରରେ ଭାରତ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବା ପରେ ସହୟତାର ପ୍ରତିଶ୍ରୁତି ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି । ଭାରତରକୁ ଆବଶ୍ୟକୀୟ ସହାୟତା ଦେବା ନେଇ ଫୋନ୍ ଯୋଗେ ଆଲୋଚନା ହୋଇଛି  । ଏହାପୂର୍ବରୁ ଭାରତରେ ଅଧିକରୁ ଅଧିକ କୋଭିସିଲ୍ଡ ଟିକା ଉତ୍ପାଦନ କରିବା ଲାଗି ଆମେରିକା ଆବଶ୍ୟକୀୟ କଞ୍ଚା ମାଲ୍ ଓ ଅନ୍ୟ ମେଡିକାଲ ଉପକରଣ ଯୋଗାଇଦେବ ବୋଲି ପୂର୍ବରୁ ଘୋଷଣା କରିଥିଲା ।

ଏନେଇ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିବାନ୍ ଓ ତାଙ୍କ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାସହ କରୋନା ଟେଷ୍ଟିଂ କିଟ୍, ଭେଣ୍ଟିଲେଟର ଓ ପିପିଇ କିଟ୍ ଯୋଗାଇ ଦେବା ସମ୍ପର୍କରେ ମଧ୍ୟ ଅଲୋଚନା ହୋଇଥିବା ହ୍ୱାଇଟ୍ ହାଉସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ତେବେ ଗତକାଲିର  ଉଭୟ ଦେଶର କୋଭିଡ୍ ସ୍ଥିତି ନେଇ ଦୁଇ ନେତା ଫଳପ୍ରଦ ଆଲୋଚନା କରିଥିବା ମୋଦି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ।

You might also like